କନକ ବ୍ୟୁରୋ : ଶାସନରେ ପରିବର୍ତ୍ତନ ସହ ସରକାରଙ୍କ ଆଭିମୁଖ୍ୟ ବଦଳିଛି । ଓଡ଼ିଶାରେ ମୋହନ ସରକାର ଲାଗୁ କରିବାକୁ ଯାଉଛନ୍ତି ଆୟୁଷ୍ମାନ ଭାରତ ଯୋଜନା । ହେଲେ ବାଟ ଓଗାଳିଛି ନିୟମାବଳୀ ଓ ନୂଆକାର୍ଡ । ମନ୍ତ୍ରୀ କହିଛନ୍ତି, ଏବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନର ସବୁ ବାଧକକୁ ଦୂର କରାଯିବ ।
ଆୟୁଷ୍ମାନ ଯୋଜନା ଶୁଭାରମ୍ଭର ୬ ବର୍ଷ ପରେ ଓଡ଼ିଶା ପାଇବ ଲାଭ । ପୂର୍ବ ସରକାରଙ୍କ ଟାଳଟୁଳ ନୀତି ପାଇଁ ଆୟୁଷ୍ମାନ ପାର୍ଟ-୧ରୁ ବଞ୍ଚିତ ହୋଇଥିଲା ଓଡ଼ିଶା । ଭୋଟବ୍ୟାଙ୍କ ପାଇଁ ବିଏସକେୱାଇକୁ ଆପଣାଇ ଆୟୁଷ୍ମାନକୁ ଅଣଦେଖା କରିଥିଲେ ତତ୍କାଳୀନ ନବୀନ ସରକାର । କିନ୍ତୁ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଆୟୁଷ୍ମାନ ଲାଗୁ ହେବା ପାଇଁ ବାଟ ଫିଟିଛି । ଏହି ଯୋଜନା ୧ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କ ପାଇଁ ସଞ୍ଜିବନୀ ସାଜିବ । କେନ୍ଦ୍ରର ଆୟୁଷ୍ମାନ ଓ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମ୍ମିଶ୍ରଣରେ ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ଏହି ଯୋଜନାରେ ଖୁବଶୀଘ୍ର ହିତାଧିକାରୀଙ୍କୁ ନୂଆ କାର୍ଡ ଯୋଗାଇଦେବେ ସରକାର ।
ପୂର୍ବ ସରକାରର ସ୍ୱାସ୍ଥ୍ୟ କାର୍ଡରେ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା ସତ କିନ୍ତୁ ଏହାର ପରିଧି ବେଶ ସୀମିତ ଥିଲା । ମୋଟ ୯୫୦ ହସ୍ପିଟାଲରେ ପୂର୍ବ ସରକାରଙ୍କ ସ୍ୱାସ୍ଥ୍ୟକାର୍ଡ କାମ କରୁଥିଲା । କିନ୍ତୁ ନୂଆ ସରକାରଙ୍କ ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇବେ ହିତାଧିକାରୀ । କେବଳ ରାଜ୍ୟରେ ନୁହେଁ ସାରା ଦେଶର ପଞ୍ଜିକୃତ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ । ଏହାବାଦ୍ ନୂଆ କାର୍ଡରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଆୟୁଷ୍ମାନ ପାର୍ଟ-୨ରେ ସାମିଲ କରିବେ ସରକାର ।
ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ଏବେ ମୋହର ମାରୁଛନ୍ତି ମୋହନ ସରକାର । ନୂଆ କାର୍ଡରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଯାହାର ମୋଡାଲିଟ ଖୁବଶୀଘ୍ର ପ୍ରସ୍ତୁତ କରିବେ ସରକାର ।