କନକ ବ୍ୟୁରୋ: ଦକ୍ଷିଣଭାରତକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଭେଟି । ରାମେଶ୍ୱରମ-ପାମ୍ବନ ମଧ୍ୟରେ ରେଳ ସେତୁକୁ ଉଦଘାଟନ କରିବେ ମୋଦୀ । ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର କରିବେ ଶିଳାନ୍ୟାସ । ନୂତନ ଶିକ୍ଷା ନୀତି ଏବଂ ତ୍ରିଭାଷା ନୀତି ବିବାଦ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ରାମେଶ୍ୱରମ୍ ଗସ୍ତ କରିବେ । ଏଠାରେ ସେ ଆରବ ସାଗର ଉପରେ ନିର୍ମିତ ନୂତନ ପାମ୍ବନ ସେତୁର ଉଦଘାଟନ କରିବେ । 

Advertisment

୨.୦୮ କିଲୋମିଟର ଲମ୍ବା ଏହି ସେତୁ ଭାରତର ତାମିଲନାଡୁର ରାମେଶ୍ୱରମ ସହ ମଣ୍ଡପମକୁ ସଂଯୋଗ କରେ । ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର, ୨୦୧୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭବିଷ୍ୟତକୁ ଆଖି ଆଗରେ ରଖି, ଏହାକୁ ଡବଲ୍ ଟ୍ରାକ୍ ଏବଂ ହାଇ-ସ୍ପିଡ୍ ଟ୍ରେନ୍ ପାଇଁ ଡିଜାଇନ୍ କରାଯାଇଛି । ଷ୍ଟେନଲେସ୍ ଷ୍ଟିଲରେ ତିଆରି ଏହି ନୂତନ ସେତୁ ଉପରେ ପଲିସିଲୋକ୍ସେନ ଆବରଣ ଦିଆଯାଇଛି, ଯାହା ଏହାକୁ କଳଙ୍କି ଏବଂ ସମୁଦ୍ରର ଲୁଣିଆ ପାଣିରୁ ରକ୍ଷା କରିବ । ପୁରୁଣା ସେତୁଟି କଳଙ୍କି ଲାଗିବା ଯୋଗୁଁ ୨୦୨୨ ମସିହାରେ ବନ୍ଦ କରାଯାଇଥିଲା।  ଏହା ପରେ ରାମେଶ୍ୱରମ୍ ଏବଂ ମଣ୍ଡପମ୍ ମଧ୍ୟରେ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହି ସେତୁର ଉଦଘାଟନ ପରେ, ପ୍ରଧାନମନ୍ତ୍ରୀ ରାମେଶ୍ୱରମର ରାମନାଥସ୍ୱାମୀ ମନ୍ଦିର ପରିଦର୍ଶନ କରିବେ ଏବଂ ପୂଜା କରିବେ।

ରାମାୟଣ ଅନୁସାରେ, ରାମସେତୁର ନିର୍ମାଣ ରାମେଶ୍ୱରମ୍ ନିକଟସ୍ଥ ଧନୁଷକୋଡିରୁ ଆରମ୍ଭ ହୋଇଥିଲା। ଏହି କାରଣରୁ ଏହା ବିଶ୍ୱାସ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦି ରାମନବମୀରେ ଏହାକୁ ଉଦଘାଟନ କରୁଛନ୍ତି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ରାଜ୍ୟରେ ୮୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ।