କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ହାତରେ ଆଉ ମାତ୍ର ୧ ମାସ । ଏଥର ଦିଲ୍ଲୀ ସିଂହାସନ ହାତେଇବାକୁ ଶାସକ ଆପ୍ ସହ ବିରୋଧୀ ବିଜେପି ଓ କଂଗ୍ରେସ ନୂଆ ରଣନୀତି ଆପଣାଇଛନ୍ତି । ଏହି ଭିତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦଳୀୟ ପ୍ରାର୍ଥୀଙ୍କ ଲାଗି କ୍ୟାମ୍ପେନ ଆରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କୁ ଅଭିଭାଷଣ ଦେବା ବେଳେ ମୋଦି କହିଛନ୍ତି, ମୁଁ କ୍ଷମତାରେ ଥିବାରୁ ନିଜ ଲାଗି ଅନେକ କିଛି କରିପାରିଥାଆନ୍ତି । ହେଲେ ଦେଶବାସୀଙ୍କ ଲାଗି ବିକାଶ କରିବାର ମୁଁ ଯେଉଁ ସ୍ବପ୍ନ ଦେଖିଛି ତାହା ଆଗରେ ମୋ ନିଜ ସ୍ବପ୍ନ ତୁଚ୍ଛ ।
ମୋଦି କହିଲେ, ମୁଁ ଚାହିଁଥିଲେ ୬ ତାଲା ଘର କରିଥାଆନ୍ତି
ଦେଶର ପ୍ରତିଟି ଲୋକ ପକ୍କାଘରେ ରହିବା ମୋର ସ୍ବପ୍ନ
ଦିଲ୍ଲୀ ନିର୍ବାଚନ ରାଲି ମୋଦି ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମୋଦି କହିଛନ୍ତି, ମୁଁ ଲଗାତାର ତିନିଥର ପ୍ରଧାନମନ୍ତ୍ରୀ ହେଲିଣି । ଏହି ସମୟରେ ଅନେକ କିଛି ମୋ ନିଜ ଲାଗି କରିପାରିଥାଆନ୍ତି । ହେଲେ ମୋର ସ୍ବପ୍ନ ଥିଲା, ଦେଶର ବିକାଶ ହେବା । ପ୍ରତିବର୍ଗର ଲୋକଙ୍କୁ ଭଲରେ ରଖିବା । ସେଇଥି ଲାଗି ବିକଶିତ ଭାରତର ପରିକଳ୍ପନା କରାଯାଇଛି । ବିଭିନ୍ନ ଯୋଜନା ବି କରାଯାଉଛି । ଏହାସହ କଂଗ୍ରେସକୁ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି ମୋଦି । କହିଛନ୍ତି, ୧୦ ବର୍ଷରେ ଲଗାତାର ରହିଥିଲେ । କିନ୍ତୁ ଲୋକଙ୍କ ପାଇଁ ଘର କରିବା ପରିବର୍ତ୍ତେ ନିଜ ପାଇଁ ବେଶୀ ଘର କଲେ । ଯାହା ଲାଗି ଦେଶର ବିକାଶ ଯେତିକି ହେବାର କଥା ସେତିକି ହୋଇନି । ହେଲେ ଆମ ସରକାର ଆସିବା ପରେ ମାତ୍ର ୧୦ ବର୍ଷରେ ୪ କୋଟି ଘର ନିର୍ମାଣ କରାଇପାରୁଛୁ ।
ଏହାସହ ରାଲିକୁ ସମ୍ୱୋଧିତ କରି ମୋଦି କହିଛନ୍ତି, ବିକଶିତ ଭାରତ ପଛରେ ସହରବାସୀଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଗାଁରୁ ଲକ୍ଷାଧିକ ଲୋକମାନେ ସହରମୁହାଁ ହେଉଛନ୍ତି ରୋଜଗାର ସନ୍ଧାନରେ, କିଛି କରିବା ଆଶାରେ । ତେଣୁ ସହରର ବିକାଶକୁ କେନ୍ଦ୍ର ବିଜେପି ସରକାର ସର୍ବାଧିକ ଗୁରୁତ୍ବ ଦେଉଛି । ସହରର ବିକାଶ ହେଲେ ଦେଶ ବିକାଶ ହୋଇପାରିବ ବୋଲି ମୋଦି କହିଛନ୍ତି ।
ଶିକ୍ଷାକୁ ଗୁରୁତ୍ବ
ମୋଦି ଦିଲ୍ଲୀରେ ଅଭିଭାଷଣ ରଖି କହିଛନ୍ତି, ଶିକ୍ଷାବ୍ୟବସ୍ଥା ମଜବୁତ ହେଲେ ବିକାଶକୁ କେହି ରୋକିପାରିବେ ନାହିଁ । ସେଇଥି ଲାଗି ଦେଶରେ ଏବେ ବିଭିନ୍ନ ବଡ଼ବଡ଼ ଶିକ୍ଷାନୁଷ୍ଠାନ ଖୋଲିବା ସହିତ ଦିଲ୍ଲୀ ବିଶ୍ବବିଦ୍ୟାଳୟର ବିକାଶକୁ ଗୁରୁତ୍ବ ଦିଆଯାଉଛି । ସିବିଏସଇକୁ ନେଇ ପ୍ରଂଶସା କରିବା ସହିତ ଯୁବପିଢିଙ୍କ ବିକାଶ କ୍ଷେତ୍ରରେ ଏହା ବଡ଼ ଭୂମିକା ନେଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ରାଜ୍ୟ ସହଯୋଗ କରୁନଥିବା ଅଭିଯୋଗ
ବର୍ତ୍ତମାନ ଦିଲ୍ଲୀରେ ଆପ୍ ସରକାର । ଦେଶର ପ୍ରତି ରାଜ୍ୟର ବିକାଶ ଲାଗି କେନ୍ଦ୍ର ଯେଉଁ ପରିମାଣରେ ସହଯୋଗ ଚାହୁଁଛି ରାଜ୍ୟ ସରକାର ସେହି ଭିତ୍ତିରେ ସହଯୋଗ କରୁନଥିବା ମୋଦି କହିବା ସହିତ ସଂଘୀୟ ବ୍ୟବସ୍ଥା ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ କାମ କରିବା ଦରକାର ବୋଲ କହିଛନ୍ତି । ମୋଟ୍ ଉପରେ ଦିଲ୍ଲୀ ନିର୍ବାଚନକୁ ନେଇ ଏବେ ସରଗରମ ହେଲାଣି ଦେଶର ରାଜନୀତି । ଗୋଟିଏ ପଟେ ବିଜେପି ପ୍ରଚାରକୁ ଜୋରଦାର କରିଥିବା ବେଳେ ବିରୋଧୀ କଂଗ୍ରେସ ଓ ଆପ୍ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି ।