କନକ ବ୍ୟୁରୋ : ପ୍ରଥମେ ଘରେ ପଶି ମାରିଥିଲୁ, ଏବେ ଛାତିକୁ ମାରିଲୁ । ଆକ୍ରୋଶ ନୁହେଁ, ଏହା ସମଗ୍ର ଭାରତର ରୌଦ୍ର ରୂପ । ଇଏ ହିଁ ହେଉଛି ନୂଆ ଭାରତ, ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଶକ୍ତି । ଯେଉଁମାନେ ଭାରତୀୟ ନାରୀଙ୍କ ସିନ୍ଦୂର ଲିଭାଇବାକୁ ଆସିଥିଲେ ସେମାନେ ନିଜେ ମାଟିରେ ମିଶିଗଲେ । ସିନ୍ଦୂର ବାରୁଦରେ ପରିଣତ ହେଲେ କେତେ ଭୟଙ୍କର ହୋଇପାରେ ତାର ନମୁନା ସମଗ୍ର ବିଶ୍ବ ଦେଖିଲା । ରାଜସ୍ଥାନ ବିକାନେରରୁ କିଛି ଏଭଳି ଆକ୍ରମଣାତ୍ମକ ଠାଣିରେ ଶତ୍ରୁରାଷ୍ଟ୍ର ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ପହଲଗାମ ଆତଙ୍କୀ ହମ୍ଲାକୁ ନେଇ ପାକ୍ ଉପରେ କରିଛନ୍ତି ଜୋରଦାର ହମଲା । ୨୨ ତାରିଖ ଆକ୍ରମଣର ମାତ୍ର ୨୨ମିନିଟ ମଧ୍ୟରେ ପ୍ରତିଶୋଧ ନିଆଯାଇଛି, ୯ଟି ଆତଙ୍କୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦିଆଯାଇଛି । ଭାରତୀୟ ସେନାର ଆକ୍ରମଣରେ ସୀମା ଆରପଟେ ଥିବା ରହିମ ୟାର ଖାନ ଏୟାରବେସ୍ ଆଇସିୟୁକୁ ଚାଲିଯାଇଥିବା ମୋଦୀ କହିଛନ୍ତି ।
‘ପରମାଣୁ ବୋମାର ଧମକକୁ ଆମେ ଡରିବୁ ନାହିଁ’
ପହଲଗାମ ଆକ୍ରମଣ ପରେ ଅପରେସନ୍ ସିନ୍ଦୂର ଜରିଆରେ ଭାଙ୍ଗି ଦିଆଯାଇଛି ଆତଙ୍କବାଦୀଙ୍କ ଅଣ୍ଟା । ଆତଙ୍କୀଙ୍କୁ ସୁରକ୍ଷାରେ ଆଗକୁ ଆସିଥିବା ପାକିସ୍ତାନ ସେନାକୁ ବି ଦିଆଯାଇଛି ମୁହଁତୋଡ଼ ଜବାବ । ୪ଦିନର ଲଢେଇରେ ଭାରତୀୟ ସେନାର ଚକ୍ରବ୍ୟୁହରେ ଫସିଯାଇ ପାକିସ୍ତାନ ବାଟ ପାଇନଥିଲା । ଏଣିକି ଆତଙ୍କବାଦୀ ଆକ୍ରମଣ କରାଗଲେ ଏହାର କଡ଼ା ଜବାବ ଦିଆଯିବ । କେଉଁଠି ଓ କେଉଁ ତରିକାରେ ପ୍ରତିଶୋଧ ନିଆଯିବ ସେନା ଏହାର ନିଷ୍ପତ୍ତି ନେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କାହାର ପରମାଣୁ ବୋମାକୁ ଆମେ ଡରିବୁ ନାହିଁ, ଆତଙ୍କବାଦୀ ଓ ଏମାନଙ୍କ ପୃଷ୍ଠପୋଷକଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବୁ ନାହିଁ । ପାକିସ୍ତାନକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ମୋଦୀ ।
ପହଲଗାମ ଆତଙ୍କୀ ହମଲାକୁ ଏଥି ମଧ୍ୟରେ ପୂରିଛି ଗୋଟିଏ ମାସ । ଏପ୍ରିଲ ୨୨ରେ କାଶ୍ମୀର ଛାତି ଉପରେ ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ ଆତଙ୍କୀ, ମାତ୍ର କେଇ ମିନିଟ୍ ମଧ୍ୟରେ ୨୬ଜଣ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିଲା । ଅପରେସନ୍ ସିନ୍ଦୂର ଜରିଆରେ ଏହା ପ୍ରତିଶୋଧ ନେଇଛି ଭାରତୀୟ ସେନା ।