କନକ ବ୍ୟୁରୋ : ବିହାରରରେ ଭୋଟର ଅଧିକାର ଯାତ୍ରା ସମୟରେ କଂଗ୍ରେସ-ଆରଜେଡିର ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କୁ ଅପମାନିତ କରାଯାଇଥିଲା । ତାଙ୍କୁ ଅପଶବ୍ଦ କୁହାଯାଇଥିଲା । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଦଳକୁ ଖୁବ୍ କଟାକ୍ଷ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି କ୍ରେଡିଟ କୋ-ଅପରେଟିଭ ଫେଡେରେସନ ଲିମିଟେଡର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗ ଉଠାଇ ଭାବପ୍ରବଣ ହୋଇପଡିଥିଲେ । ସେ କହିଛନ୍ତି ଯେ ମାଆଙ୍କ ଆଶୀର୍ବାଦରୁ ହିଁ ମୁଁ ଦେଶର ସେବା କରୁଛି । ପ୍ରତ୍ୟେକ ମାଆ ଚାହାନ୍ତି ଯେ ତାଙ୍କ ପୁଅ ତାଙ୍କର ସେବା କରୁ । କିନ୍ତୁ ମୋ ମାଆ ନିଜ ପାଇଁ ନୁହେଁ, ଆପଣଙ୍କ ଭଳି କୋଟି କୋଟି ମାଆ ଓ ଭଉଣୀଙ୍କ ସେବା ପାଇଁ ମୋତେ ନିଜଠାରୁ ଅଲଗା କରି ଯିବାକୁ ଅନୁମତି ଦେଇଥିଲେ । ଏଭଳି ମାଆଙ୍କୁ ଅସଭ୍ୟ ଗାଳି ଦିଆଗଲା ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୋ ମାଆ ଏବେ ଦୁନିଆରେ ନାହାନ୍ତି । ୧୦୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ମୋ ମାଆଙ୍କର ରାଜନୀତି ସହ କୌଣସି ସମ୍ପର୍କ ନଥିଲା । ସେହି ମାଆଙ୍କୁ କଂଗ୍ରେସ-ଆରଜେଡିର ମଞ୍ଚରୁ ଅସଭ୍ୟ ଗାଳି ଦିଆଗଲା । ଏହା ବହୁତ ଦୁଃଖ, କଷ୍ଟ ଏବଂ ପୀଡାଦାୟକ । ସେହି ମାଆଙ୍କର କ’ଣ ଅପରାଧ, ଯାହାଙ୍କୁ ଅସଭ୍ୟ ଗାଳି ଶୁଣାଗଲା । ମୋ ମାଆଙ୍କୁ ଗାଳି ଦେବା ବିହାରର ଅପମାନ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ମୋ ମାଆଙ୍କ ସମ୍ମାନ ବିହାରର ପରିଚୟ । ମୋ ମାଆଙ୍କୁ ଗାଳି ଦେବା ବିହାରର ଅପମାନ । ମାଆ ହିଁ ତ ଆମର ସଂସାର ହୋଇଥାଏ, ଆମର ସ୍ୱାଭିମାନ ହୋଇଥାଏ । ଏହି ସମୃଦ୍ଧ ପରମ୍ପରା ଥିବା ବିହାରରେ କିଛି ଦିନ ପୂର୍ବରୁ ଯାହା ହେଲା, ତାହା ମୁଁ କଳ୍ପନା ମଧ୍ୟ କରିନଥିଲି । ବିହାରରେ ଆରଜେଡି-କଂଗ୍ରେସର ମଞ୍ଚରୁ ମୋ ମାଆଙ୍କୁ ଗାଳି ଦିଆଗଲା । ଏହି ଗାଳି କେବଳ ମୋ ମାଆଙ୍କର ଅପମାନ ନୁହେଁ । ଏହା ଦେଶର ମାଆ-ଭଉଣୀ-ଝିଅଙ୍କର ଅପମାନ । ବିହାରର ପ୍ରତ୍ୟେକ ମାଆଙ୍କୁ ଏହା ଦେଖି-ଶୁଣି କେତେ ଖରାପ ଲାଗିଥିବ, ତାହା ମୁଁ ଜାଣିଛି । ମୁଁ ଜାଣେ ଯେ ଏହାର ଯେତିକି ପୀଡା ମୋ ହୃଦୟରେ ଅଛି, ସେତିକି କଷ୍ଟ ମୋ ବିହାରର ଲୋକଙ୍କୁ ମଧ୍ୟ ଅଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ମାଆ ନିଜ ପିଲାମାନଙ୍କୁ ବହୁତ କଷ୍ଟ କରି ପାଳିଥାଏ । ପିଲାମାନଙ୍କଠାରୁ ବଡ଼ ମାଆ ପାଇଁ କିଛି ନଥାଏ । ମୁଁ ମଧ୍ୟ ପିଲାଦିନରୁ ମୋ ମାଆଙ୍କୁ ଏମିତି ହିଁ ଦେଖିଛି । ସେ ବହୁତ ଗରିବୀରେ ଏବଂ କଷ୍ଟ ସହି ନିଜ ପରିବାରକୁ ଆମ ସବୁ ଭାଇଭଉଣୀଙ୍କୁ ପାଳିଛନ୍ତି । ବର୍ଷା ଦିନ ଆସିବା ପୂର୍ବରୁ ମାଆ ଏହି ପ୍ରୟାସରେ ଲାଗିପଡୁଥିଲେ ଯେ ଛାତ ନ ଟପୁ । ତାଙ୍କ ପିଲାମାନେ ଶାନ୍ତିରେ ଶୋଇପାରିବେ । ସେ ଅସୁସ୍ଥ ହେଉଥିଲେ ବି ଜଣାପଡିବାକୁ ଦେଉନଥିଲେ । ସେ ପ୍ରତିଦିନ କାମ କରୁଥିଲେ । ସେ ଜାଣିଥିଲେ ଯେ ଯଦି ସେ ଦିନେ ବି ଆରାମ କରିବେ ତ ଆମ ପିଲାମାନଙ୍କୁ ଦୁଃଖ ସହିବାକୁ ପଡିବ । କଠିନତା ବିଷୟରେ ସେ ମୋ ବାପାଙ୍କୁ ମଧ୍ୟ ଜଣାପଡିବାକୁ ଦେଉନଥିଲେ । ସେ ନିଜ ପାଇଁ କୌଣସି ନୂଆ ଶାଢ଼ୀ ମଧ୍ୟ କିଣୁନଥିଲେ । ସେ ଏକ ଏକ ପଇସା ଜମା କରୁଥିଲେ ଯାହାଫଳରେ ପିଲାମାନଙ୍କ ପାଇଁ ଏକ ଯୋଡ଼ା ପୋଷାକ ତିଆରି କରିପାରିବେ । ଦେଶର କୋଟି କୋଟି ମାଆ ଏମିତି ହିଁ ପିଲାମାନଙ୍କୁ ପାଳିଥାନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି କ୍ରେଡିଟ କୋ-ଅପରେଟିଭ ଫେଡେରେସନ ଲିମିଟେଡର ଉଦଘାଟନ କରିଥିଲେ । ଏହି ସମୟରେ ସେ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ଖାତାକୁ ୧୦୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ସେ ବିହାରର ଦରଭଙ୍ଗାଠାରେ କଂଗ୍ରେସ-ଆରଜେଡିର ମଞ୍ଚରୁ ହୋଇଥିବା ତାଙ୍କ ମାଆଙ୍କ ଅପମାନର ପ୍ରସଙ୍ଗ ଉଠାଇଥିଲେ ।