କନକ ବ୍ୟୁରୋ : ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ନଭେମ୍ବର ୨୨ରୁ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଓଡିଶା ପର୍ବ –୨୦୨୪ର ଆଜି ଅନ୍ତିମ ଦିନ । ଆଜିର ଏହି ଉଦଯାପନୀ ସମାରୋହରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ସରକାର, ପ୍ରଶାସନ ଓ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଓଡ଼ିଆ ସମାଜ ପକ୍ଷରୁ ତିନିଦିନ ଧରି ପାଳିତ ହେଉଥିବା ଓଡ଼ିଶା ପର୍ବର ଉଦଘାଟନୀ ସମାରୋହ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଉଦଘାଟିତ ହୋଇଥିଲା । ଉଦଘାଟନୀ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ଅନେକ ରାଜନେତା, ଲେଖକ, କଳାକାର, ଇତିହାସକାର, ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ ।
ଏହି ସାରସ୍ୱତ ସମାରୋହରେ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାର କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟର ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାରେ ଓଡ଼ିଶା ମହୋତ୍ସବର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କହିଥିଲେ । ସେହିପରି କଳିଙ୍ଗ ଯୁଦ୍ଧ ଅଶୋକଙ୍କୁ କିପରି 'ଚଣ୍ଡାଶୋକ'କୁ 'ଧର୍ମାଶୋକ'ରେ ପରିଣତ କରିଥିଲା, ତାହାର ଉଦାହରଣ ଦେଇ ଏହି ଯୁଦ୍ଧ ଆମକୁ ଶିକ୍ଷା ପ୍ରଗତି ପାଇଁ ଶାନ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଓଡ଼ିଶା ପର୍ବ' ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ଏକ ମହାନ୍ ନିଦର୍ଶନ। ଯେଉଁ ହଜାର ହଜାର ଓଡ଼ିଆ ଭାଇଭଉଣୀମାନେ, ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ବର୍ଷ ଧରି ରହିଆସୁଛନ୍ତି, ଏହି ମହୋତ୍ସବ ହେଉଛି ସେମାନଙ୍କ ପାଇଁ ଦିଲ୍ଲୀରେ ରହି ଓଡ଼ିଶାକୁ ଅନୁଭବ କରିବାର ଏକ ସୁନ୍ଦର ପ୍ରୟାସ । ଆମେ ସମସ୍ତେ ଗର୍ବିତ ଯେ ଆମେ ସମସ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଜନ୍ମ ଲାଭ କରିଛୁ ଏବଂ ମହାନ ଓଡ଼ିଆ ଭାଷା ଓ ସଂସ୍କୃତିର ଉପାସକ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଓଡ଼ିଆ କଳା ଏବଂ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ଆୟୋଜିତ ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବାର ଏକ ଉତ୍କୃଷ୍ଟ ମଞ୍ଚ । ଚଳିତବର୍ଷ ଏହି ବର୍ଣ୍ଣାଢ୍ୟ ସମାରୋହରେ ପ୍ରଦର୍ଶିତ ପାରମ୍ପରିକ ଆରିସା ପିଠା, ଝାଲ ମୁଢି, ଅନ୍ୟାନ୍ୟ ଖାଦ୍ୟପେୟ ଏବଂ ପରିବେଷଣ ହେଉଥିବା ଓଡ଼ିଆ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଓଡ଼ିଆ ପର୍ବ ଆନନ୍ଦ ଉଲ୍ଲାସର ବତାବରଣ ତିଆରି କରୁ । ଓଡ଼ିଶା ପର୍ବ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ୱତନ୍ତ୍ର ପରିଚୟକୁ ବିଶ୍ୱବିଦିତ କରାଇବାରେ ବଡ଼ ଭୂମିକା ଗ୍ରହଣ କରିବ ।
ଓଡ଼ିଶା ପର୍ବର ଦ୍ୱିତୀୟ ଦିନରେ କଳା, ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଭଜନ ଓ ଆଧୁନିକ ସଙ୍ଗୀତ ସହ ଛଉ ନୃତ୍ୟ, ସମ୍ବଲପୁରୀ ଓ ଲୋକନୃତ୍ୟ, ଗୋଟିପୁଅ ନୃତ୍ୟକୁ ପ୍ରତିଭାବାନ କଳାକାରମାନେ ପରିବେଷଣ କରିଥିଲେ । ଓଡ଼ିଶାର ପ୍ରସିଦ୍ଧ ଡିଜିଟାଲ କଣ୍ଟେଣ୍ଟ୍ କ୍ରିଏଟର୍ ଓ ଇନଫ୍ଲୁଏନ୍ସରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ପ୍ରତିଭା ଦେଖାଇଥିଲେ ।
ତିନିଦିନ ବ୍ୟାପୀ ରାଷ୍ଟ୍ରୀୟ ରାଜଧାନୀରେ ପାଳିତ ହେଉଥିବା ଓଡ଼ିଶା ପର୍ବରେ ହଜାର ହଜାର ପ୍ରବାସୀ ଓଡ଼ିଆ ଓ ଅଣ ଓଡ଼ିଆଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରଦର୍ଶିତ ପାରମ୍ପରିକ ଓଡ଼ିଆ ଖାଦ୍ୟପେୟ ଷ୍ଟଲରେ ଗହଳି ଜମୁଛି । ହସ୍ତଶିଳ୍ପ, ହସ୍ତତନ୍ତ, ଓଡ଼ିଆ ପୁସ୍ତକରୁ ଅନୁବାଦ ହୋଇଥିବା ଇଂରାଜୀ ଏବଂ ହିନ୍ଦୀ ପୁସ୍ତକ ସହ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ମଧ୍ୟ ଲୋକମାନେ ବହୁଳ ମାତ୍ରାରେ କିଣୁଛନ୍ତି ।
ଏହି ବର୍ଣ୍ଣାଢ୍ୟ ସମାରୋହର ମୁଖ୍ୟ ଆକର୍ଷଣ ହୋଇଛି ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ, ଯେଉଁଥିରେ ବିଶିଷ୍ଟ ଲେଖକ, ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇଛନ୍ତି । ଓଡ଼ିଆ ଅସ୍ମିତା, ଓ ଓଡ଼ିଆ ସଂସ୍କୃତିର ସଂରକ୍ଷଣ ପାଇଁ କିପରି ଏକ ଦୀର୍ଘକାଳୀନ ବାତାବରଣ ତିଆରି କରାଯାଇପାରିବ ସେ ନେଇ ଏହି କନକ୍ଲେଭରେ ଆଲୋଚନା କରାଯିବା ସହ ସମସ୍ତଙ୍କ ମତାମତ ନିଆଯାଇଛି ।
ଆମ ରାଜ୍ୟର ଉତ୍କୃଷ୍ଟ କଳା, ସଂସ୍କୃତି, ପରମ୍ପରା, ଗୌରବମୟ ଇତିହାସ, ସାହିତ୍ୟ ଓ ସ୍ୱାଦିଷ୍ଟ ବଞ୍ଜନକୁ ପ୍ରଦର୍ଶିତ କରିବାର ମହାନ ମଞ୍ଚ ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଆମ ଓଡ଼ିଶାର ବିଭବ ଓ ପରିଚୟକୁ ଆଗକୁ ନେବାରେ ଓଡ଼ିଶା ପର୍ବ ଏକ ପ୍ରମୁଖ ଅଂଶୀଦାର ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପର୍ବରେ ଯୋଗଦାନ ଦେବା ଦ୍ୱାରା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପର୍ବର ଖ୍ୟାତି ଓ ସମ୍ମାନ ବଢିବ ବୋଲି ଆଶା କରାଯାଉଛି ।