କନକ ବ୍ୟୁରୋ : ଓଡ଼ିଶାରେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଦିବସକୁ ସ୍ମରଣୀୟ କରିବାକୁ ପ୍ରଧାନମନ୍ତ୍ରୀ ଏକାଧିକ ଭେଟି ଦେବାକୁ ଯାଉଛନ୍ତି। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ସହ ରାଜ୍ୟ ବିକାଶରେ ନୂଆ ଅଧ୍ୟାୟ ଯୋଡିବା ପାଇଁ ପେଡି ଧରି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଥିରେ ରହିଛି
ମୋଦୀଙ୍କ ଭେଟି..
- ମୋହନ ସରକାରଙ୍କ ଫ୍ଲାଗସିପ୍ ଯୋଜନା 'ସୁଭଦ୍ରା'ର ଶୁଭାରମ୍ଭ
- ଭୁବନେଶ୍ବରରେ ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ
- ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ
- ୧୪ଟି ରାଜ୍ୟର ପିଏମଏୱାଇ-ଜି ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ସହାୟତାର ପ୍ରଥମ କିସ୍ତି ପ୍ରଦାନ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ (ପିଏମଏୱାଇ-ୟୁ) ୨.୦ର କାର୍ୟ୍ୟକାରୀ ମାର୍ଗଦର୍ଶିକାର ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ସରକାର, ବିଜେପି ନେତା, କର୍ମୀ ଓ ଜନତା। ବିଶେଷକରି ସୁଭଦ୍ରା ଯୋଜନାରେ ଟଙ୍କା ପାଇବାକୁ ଆଶାୟୀ ଥିବା ହିତାଧିକାରୀଙ୍କ ଉତ୍ସାହ ଆକାଶ ଛୁଆଁ ହୋଇଛି। କେତେବେଳେ ଖାତାକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସିବା ସେ ନେଇ ମହିଳାଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପ୍ରଧାମନ୍ତ୍ରୀଙ୍କ ଗସ୍ତବେଳେ ଯେମିତି କୌଣସି ତ୍ରୁଟି ନହୁଏ, ସେଥିପାଇଁ ଏୟାରପୋର୍ଟରୁ ଜନତା ମୈଦାନ ପର୍ୟ୍ୟନ୍ତ କାରକେଡ୍ ରିହରସାଲ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡିଂର ବ୍ୟବସ୍ଥା ହୋଇଛି। ସଭାସ୍ଥଳକୁ ପ୍ରଧାନମନ୍ତ୍ରୀଙ୍କ ଗାଡି ଯିବା ପାଇଁ ସ୍ୱତନ୍ତ୍ର ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଛି।
ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ବର ଜନତା ମଇଦାନରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଅନ୍ୟପଟେ ମୋଦୀଙ୍କ ଗସ୍ତକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ, କଲେଜ ଏବଂ ବିଶ୍ବବିଦ୍ୟାଳୟକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ସରକାର।