କନକ ବ୍ୟୁରୋ : ପଞ୍ଜାବ ଆଦମପୁର ଏୟାରବେସ୍‌ରେ ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ଯବାନମାନଙ୍କ ଗହଣରେ ୧ ଘଣ୍ଟା ସମୟ ବିତାଇଛନ୍ତି । ଆଜି ସକାଳ ୭ଟାରେ ଦିଲ୍ଲୀ ପାଲମ ବିମାନବନ୍ଦରରୁ ଉଡ଼ାଣ ଭରିଥିଲେ । ସିଧାସଳଖ ଆଦମପୁର ଏୟାରବେସ୍ ଯାଇ ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇଥିଲେ । କିଛି ଦିନ ତଳେ ପାକିସ୍ତାନ ଏହି ଆଦମପୁର ଏୟାରବେସକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲେ । ହେଲେ ଆଜି ସେଠାରେ ପହଞ୍ଚି ସେହି ୧ ଘଣ୍ଟା ବେଶ୍ ଆନନ୍ଦ ଦେଇଥିବା ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ସେ ଲେଖିଛନ୍ତି କି, ମୁଁ ଆଜି ସକାଳେ ଏଏଫ୍‌ଏସ୍‌ ଆଦମପୁର ଯାଇଥିଲି ଏବଂ ସେଠାରେ ବାହାଦୂର ବାୟୁ ଯୋଦ୍ଧା ଏବଂ ସୈନିକମାନଙ୍କୁ ଭେଟିଲି । ସାହସ , ଦୃଢ଼ ସଂକଳ୍ପ ଏବଂ ନିର୍ଭୀକତାର ପ୍ରତୀକ ଥିବା ବୀରମାନଙ୍କ ସହ ସମୟ ବିତାଇବା ବହୁତ୍‌ ଖାସ୍‌ ଅନୁଭୂତି ଥିଲା । ଭାରତ ସର୍ବଦା ସଶସ୍ତ୍ର ବାହିନୀଙ୍କ ପ୍ରତି କୃତଜ୍ଞ ରହିବ କାରଣ ସେମାନେ ଆମ ଦେଶ ପାଇଁ ବହୁତ କିଛି କରୁଛନ୍ତି । 

Advertisment

ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନା ଯବାନମାନଙ୍କ ସହ କଥା ହେବାର ମଧ୍ୟ ଫଟୋ ସେୟାର କରିଛନ୍ତି । ସେ ଯବାନମାନଙ୍କର ମନୋବଳ ବଢ଼ାଇବା ସହ ସେମାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ସବୁଠୁ ଖାସ୍‌ କଥା ହେଉଛି ମୋଦୀ ଏକ ଫଟୋରେ ଭାରତର ଲଢ଼ାକୁ ବିମାନ ସହ ନଜର ଆସିଛନ୍ତି । ଏବଂ ସେ ଫଟୋ ସେୟାର କରି ସେ ଲେଖିଛନ୍ତି,କାହିଁକି ଶତ୍ରୁମାନଙ୍କ ପାଇଲଟ୍‌ ଭଲରେ ଶୋଇ ପାରନ୍ତନି । 

ଅପରେସନ୍‌ ସିନ୍ଦୂରକୁ ନେଇ କ’ଣ କହିଲେ ମୋଦୀ ?

ଆଦମପୁର ଏୟାରବେସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରଣହୁଙ୍କାର । ପାକିସ୍ତାନକୁ ଦେଲେ କଡ଼ା ଚେତାବନୀ । ସେନାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ମାତା କି ଜୟର ଶକ୍ତି ପୂରା ବିଶ୍ବ ଦେଖିଛି । ଯେବେ ଆମର ମିସାଇଲ୍ ଶତ୍ରୁ ଦେଶରେ ମାଡ଼ ହୁଏ, ସେତେବେଳେ ଭାରତ ମାତା କି ଜୟର ନାରା ଶୁଭାଯାଏ । ଅପରେସନ୍ ସିନ୍ଦୂରରେ ଭାରତ ଇତିହାସ ରଚିଛି । ସେନାଙ୍କ ପରାକ୍ରମ ଯୋଗୁଁ ପ୍ରତିଟି ଭାରତୀୟଙ୍କ ଛାତି ଚଉଡ଼ା ହୋଇଛି । ଅପରେସନ୍ ସିନ୍ଦୂର ପାଇଁ ପ୍ରତ୍ୟେକ ଯବାନ ଓ ତାଙ୍କ ପରିବାରଙ୍କ ନିକଟରେ ମୁଁ କୃତଜ୍ଞ । ଯେବେ ଭାରତର ପରାକ୍ରମକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ହେବ, ସେତେବେଳେ ଯବାନଙ୍କ ନାଁ ଆଗରେ ଆସିବ । ଆଗାମୀ ପିଢ଼ି ପାଇଁ ଆପଣମାନେ ପ୍ରେରଣା, ତିନି ସେନାର ପରାକ୍ରମକୁ ପୂରା ଦେଶ ସାଲ୍ୟୁଟ କରୁଛି । ଅପରେସନ୍ ସିନ୍ଦୂର ସମୟରେ ପୂରା ସେନା ସହିତ ଥିଲା ଭାରତୀୟଙ୍କ ପ୍ରାର୍ଥନା । ଏହି ଅପରେସନ୍ ସାଧାରଣ ନଥିଲା କିନ୍ତୁ ସେନାଙ୍କ ପରାକ୍ରମ ଯୋଗୁଁ ଏହା ସଫଳ ହୋଇଛି । ଧର୍ମର ରକ୍ଷା ପାଇଁ ଆମେ ଶସ୍ତ୍ର ଉଠାଇବାକୁ ବାଧ୍ୟ ହେଲୁ ।

ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ଆମ ଭଉଣୀଙ୍କ ସିନ୍ଦୂର ଲୁଟିନେଲେ । ଆଉ ସେଥିପାଇଁ ଆରମ୍ଭ ହେଲା ଅପରେସନ୍ ସିନ୍ଦୂର । ଭାରତ ବୁଦ୍ଧଙ୍କର ମାଟି, ଆଉ ଗୁରୁ ଗୋବିନ୍ଦ ସିଂହଙ୍କର ବି ମାଟି । ଆତଙ୍କବାଦୀ, ଶତ୍ରୁ ରାଷ୍ଟ୍ର, ଭାରତ ଉପରକୁ ଆଖି ଉଠାଇଲେ, ପରିଣତି ହେବ ମହାବିନାଶ । ଆମେ ଆତଙ୍କବାଦୀ ଆଡ୍ଡା ସହ ପାକ୍ ସେନାକୁ ମଧ୍ୟ ଧୂଳି ଚଟାଇଛୁ । ପାକିସ୍ତାନର ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠି ଆତଙ୍କବାଦୀ ସୁରକ୍ଷିତ । ଆମେ ଘରେ ପଶି ସେମାନଙ୍କୁ ନିପାତ କରିବୁ । ଆମେ ଡ୍ରୋନ୍ ଓ ମିସାଇଲ ଦେଖି ଶତ୍ରୁ ଦେଶର ନିଦ ହଜିଯାଇଛି । ଅପରେସନ୍ ସିନ୍ଦୂର ଦେଶର ଏକତା ସହ ମନୋବଳକୁ ଦୃଢ଼ କରିଛି । ପ୍ରିସାଇଜ ଆଟାକ, ପିନପଏଣ୍ଟେଡ୍ ଟାର୍ଗେଟକୁ ହିଟ୍ କରିବା, ଇଏ ଭାରତୀୟ ସେନାର ପେସାଦାର ମନୋଭାବକୁ ଦର୍ଶାଉଛି । ଆତଙ୍କୀ ଆକ୍ରମଣ ହେଲେ ଭାରତ କଡ଼ା ଜବାବ ଦେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ତିନି ସେନାର ସମନ୍ବୟକୁ ପ୍ରଶଂସା କରିଛନ୍ତି । ସେନାର ଶକ୍ତି ସହ ସମନ୍ବୟ ଆମକୁ ସଫଳତା ଦେଇଛି । ଜଳ, ସ୍ଥଳ, ଆକାଶ, ସବୁଠି ଆମ ସେନା ଦେଖାଇଛନ୍ତି ଦମ୍‌ ।