କନକ ବ୍ୟୁରୋ: ମଣିପୁର ହିଂସାକୁ ୨ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଲାଣି । ଆଜି ରାଜ୍ୟକୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଣିପୁରର ବିକାଶ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ହିଂସାକୁ ଏତେଦିନ ବିତିବା ପରେ ବର୍ତ୍ତମାନ ମୋଦୀ ଗସ୍ତକୁ ବିରୋଧ କରିଛନ୍ତି ବିରୋଧୀ  ।

Advertisment

ମେ ୨୦୨୩ରୁ ଏବେ ସୁଦ୍ଧା ସାମ୍ପ୍ରଦାୟିକ ହିଂସା, ରାଜନୈତିକ ଅସ୍ଥିରତା ଓ ରାଷ୍ଟ୍ରପତି ଶାସନ ଲାଗୁ ଭିତରେ ରାଜ୍ୟକୁ ଏହା ମୋଦୀଙ୍କ ପ୍ରଥମ ଗସ୍ତ । ମଣିପୁରକୁ ୮ ହଜାର ୫ଶହ କୋଟି ଟଙ୍କାର ଭେଟି ଦେବା ସହ ଆଗାମୀ ଦିନରେ ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।  ହିଂସା ପରଠୁ କେନ୍ଦ୍ରୀୟ ଟିମଙ୍କ ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ମଣିପୁର ଗସ୍ତ କରିଥିଲେ ।

କିନ୍ତୁ ପାଖାପାଖି ଅଢ଼େଇବର୍ଷ ପରେ ପ୍ରଧାନମନ୍ତ୍ରୀ ମଣିପୁର ଯିବାକୁ ନୂଆ ରୂପ ଦେଇଛନ୍ତି ବିରୋଧୀ । ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗସ୍ତ କରିଥିବା କହିଛି କଂଗ୍ରେସ ।  ୨୦୨୩ରୁ କୁକି ଓ ମୈତେଇ ସମ୍ପ୍ରଦାୟ  ମଧ୍ୟରେ ଘଟିଥିବା ହିଂସା କେବଳ ଦେଶରେ ନୁହେଁ, ଅର୍ନ୍ତଜାତୀୟ ମଞ୍ଚରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଥିଲା । ଫେବ୍ରୁଆରି ୨୦୨୬ ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ରହିବ ରାଷ୍ଟ୍ରପତି ଶାସନ । ପାଖାପାଖି ଅଢ଼େଇ ବର୍ଷ ଧରି ହିଂସା, ଉତ୍ତେଜନା ଓ ସାମ୍ପ୍ରଦାୟିକ ଦଙ୍ଗାରେ ଜଳୁଛି ମଣିପୁର । ଏବେ ସରକାରଙ୍କ ବିକାଶର ଭେଟି ରାଜ୍ୟକୁ ନୂଆ ଦିଶା ଦେବ କି?