କନକ ବ୍ୟୁରୋ: ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବିକାଶର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ରୋଡ୍‌ ସୋ'ରେ ଜନତା ମୈଦାନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ବରପୁତ୍ର ଗ୍ରାମ୍ୟ ଐତିହ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି ନରେନ୍ଦ୍ର ମୋଦୀ । ଦୀର୍ଘ ବର୍ଷ ପରେ ବୌଦ୍ଧରେ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ ହୋଇଥିବା ବେଳେ ୧୦୦ ଇଭି ଯାତ୍ରୀବାହୀ ବସ୍‌ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଭଳି ଏକାଧିକ ପ୍ରକଳ୍ପ ଯୋଜନାର ଶୁଭାରମ୍ଭ କରିଛନ୍ତି ।  ଏହି କ୍ରମରେ ସଫଳ ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିଛନ୍ତି ମୋଦୀ । କଥା କଥାରେ ପୂର୍ବ ସରକାରକୁ ତେରଚ୍ଛା ବାଣ ମାରିଛନ୍ତି । ଟ୍ରମ୍ପ ଆମେରିକା ଆସିବାକୁ ନିମନ୍ତ୍ରଣ ଦେଇଥିଲେ ସୁଦ୍ଧା ମହାପ୍ରଭୁଙ୍କ ରାଜ୍ୟକୁ ଟାଣି ହୋଇ ଆସିଥିଲେ ପ୍ରଧାନମନ୍ତ୍ରୀ । 

Advertisment

ଜୟ ଜଗନ୍ନାଥ ଓ ଜୟ ବାବା ଲିଙ୍ଗରାଜରୁ ନିଜ ଭାଷଣ ଆରମ୍ଭ କରିଥିଲେ ମୋଦୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଆଜି ଜୁନ୍‌ ୨୦ ତାରିଖର ଏହି ଏକ ସ୍ୱତନ୍ତ୍ର ଦିନ । ଆଜି ଓଡ଼ିଶାର ବିଜେପି ସରକାର ସଫଳତା ପୂର୍ବକ ଏକ ବର୍ଷ ପୂର୍ତ୍ତି କରିଛି । ଏହା କେବଳ ସରକାରଙ୍କ ନୁହେଁ, ଏହା ସୁଶାସନର ଏକ ବର୍ଷ । ଏହା ଓଡ଼ିଶାର କୋଟିକୋଟି ମତଦାତାଙ୍କ ବିଶ୍ୱାସର ଏକ ନିଷ୍ଠାପର ପ୍ରୟାସ । ଏଥିପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ମୋହନ ମାଝୀଙ୍କ ପୂରା ଟିମ୍‌କୁ ଶୁଭେଚ୍ଛା ଜଣାଉଛି । ଏହି ଟିମ୍‌ ଓଡ଼ିଶା ବିକାଶକୁ ଏକ ନୂଆ ଗତି ଦେଇଛନ୍ତି ।"

ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ, ଏହା ଭାରତର ବିକାଶର ଏକ ଦିବ୍ୟ ତାରକା । ଓଡ଼ିଶା ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି । ଓଡ଼ିଶାର ବିକାଶ ଭାରତର ପ୍ରଗତିର ମନ୍ତ୍ର ପାଲଟିଛି । ବିଗତ ଏକ ବର୍ଷରେ ଓଡ଼ିଶା ବିକାଶ ଓ ବିରାସତ ମନ୍ତ୍ରକୁ ସଫଳ କରି ଦେଖାଇଛି । ଏକ ସୁଖଦ ସଂଯୋଗ, ବିଜେପି ସରକାର ଏକ ବର୍ଷ ପୂରଣ କରୁଛି, ସେତେବେଳେ ଆପଣ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତିରେ ଲାଗିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ଶ୍ରୀମନ୍ଦିରରେ ଥିବା ସମସ୍ୟାର ବି ସମାଧାନ । ମୋହନ ମାଝୀ କୋଟିକୋଟି ଶ୍ରଦ୍ଧାଳୁଙ୍କ କଥା ବୁଝିଛନ୍ତି । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲା ଯାଇଛି । ଏହା ବିଜୟପରାଜୟ ବିଷୟ ନୁହେଁ, ଏହା କୋଟିକୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର ବିଷୟ । 

ସେ ଆହୁରି କହିଛନ୍ତି, "ମୁଁ କାନାଡାରେ ଥିବା ବେଳେ ଟ୍ରମ୍ପ୍‌ ମୋତେ ନିମନ୍ତ୍ରଣ କରିଥିଲେ । ମୁଁ ତାଙ୍କୁ କହିଲି ଆପଣଙ୍କ ନମନ୍ତ୍ରଣ ପାଇଁ ଧନ୍ୟବାଦ । ମୋତେ ମହାପ୍ରଭୁଙ୍କ ରାଜ୍ୟକୁ ଯିବାର ଅଛି । କଂଗ୍ରେସ ମଡେଲ୍‌ରେ ଲୋକଙ୍କ ଜୀବନ ସହଜ ନଥିଲା । ଲୋକଙ୍କୁ ଭୁଆଁ ବୁଲାଇବା ହିଁ କଂଗ୍ରେସର ମଡେଲ ଥିଲା । ଏବେ ସାରା ବିଶ୍ୱ ବିଜେପିର ବିକାଶ ମଡେଲ ଦେଖୁଛି । ଯେଉଁ ସବୁ ରାଜ୍ୟରେ ବିଜେପି ସରକାର ଆସିଛି, ସେଠାରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି । ଆଜି ଆସାମ ଭଳି ରାଜ୍ୟ ବିକାଶର ନୂଆ ରାସ୍ତାରେ ଦୌଡ଼ୁଛି । ଆସାମ ଆଗକୁ ବଢ଼ୁଛି । ତ୍ରିପୁରାରେ ବି ବାମପନ୍ଥୀ ଶାସନ ପରେ ବିଜେପିକୁ ସୁଯୋଗ ଦେଇଥିଲେ ମତଦାତା । ଏବେ ସେଠାରେ ବି ବିକାଶ ହେବାରେ ଲାଗିଛି । ଓଡ଼ିଶାରେ ବି ଲୋକଙ୍କୁ ନିଜ ହକ୍‌ ମିଳୁନଥିଲା । ନାଲିଫିତା ତଳେ ଲୋକଙ୍କ ସ୍ୱର ଦବି ଯାଉଥିଲା । ଏଭଳି ଅନେକ ଚ୍ୟାଲେଞ୍ଜ ଓଡ଼ିଶା ପାଇଁ ବାଧକ ସାଜିଥିଲା । ବିକାଶର ଡବଲ ଇଞ୍ଜିନର ଫାଇଦା ପାଉଛନ୍ତି ଓଡ଼ିଶାବାସୀ ।"  

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଏଠାକାର ଜନତାଙ୍କ ଡବଲ ବେନଫିଟ୍‌ କରିଛନ୍ତି । ଦୀର୍ଘ ସମୟ ଧରି ଲକ୍ଷଲକ୍ଷ ଗରିବ ପରିବାର ଆୟୁଷ୍ମାନ ଯୋଜନାରୁ ବାଦ ପଡ଼ିଥିଲେ । ଏହା ସହିତ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଲାଭ ଉଠାଉଛନ୍ତି ଲୋକେ । ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଫାଇଦା ଲୋକଙ୍କୁ ମିଳୁଛି । ସୁରଟରେ ପ୍ରତି ଦୁଇପାଦରେ ଓଡ଼ିଆଙ୍କୁ ଭେଟିବେ । ଏଠାରେ ବି ଓଡ଼ିଆଙ୍କୁ ଦୁଇ ସ୍ୱାସ୍ଥ୍ୟ ଯୋଜନାର ଲାଭ ମିଳୁଛି । ଏକ ବର୍ଷ ପୂର୍ବେ ଏଭଳି ମାଗଣା ଚିକିତ୍ସା ଯୋଗାଇବା ସମ୍ଭବ ହିଁ ହେଉନଥିଲା । ପ୍ରଧାନମନ୍ତ୍ରୀ ବ୍ୟୟୋ ବନ୍ଦନା ଯୋଜନା ମାଧ୍ୟମରେ ବି ଲାଭ ପାଉଛନ୍ତି ଲୋକେ ।  

ପୂର୍ବରୁ ଚାଷୀଙ୍କୁ  କିଷାନ ସମ୍ମାନ ନିଧିର ଫାଇଦା ମିଳୁନଥିଲା । ଏବେ କେନ୍ଦ୍ର ଓ ରାଜ୍ୟର ଯୋଜନାରେ ସୁବିଧା ପାଉଛନ୍ତି ଚାଷୀ । କେନ୍ଦ୍ରର ଏଭଳି ଅନେକ ଯୋଜନା ଅଛି, ଯାହାର ଫାଇଦା ପାଇ ପାରୁନଥିଲେ ଲୋକେ । କିନ୍ତୁ ଆଜି ଆଜି ଲୋକଙ୍କୁ ଡବଲ ବେନିଫିଟ୍‌ ପାଉଛନ୍ତି ଲୋକେ । ନିର୍ବାଚନ ପୂର୍ବରୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଥିଲା । ତାହାକୁ ପୂରଣ କରାଯାଉଛି । ଅତୀତରେ ଆଦିବାସୀ ସମାଜକୁ ନିରନ୍ତର ଉପେକ୍ଷା କରାଯାଉଥିଲା । ଦୀର୍ଘ ସମୟ ଧରି ଏକ ରାଜନୈତିକ ଦଳ ଆଦିବାସୀଙ୍କୁ କେବଳ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିଥିଲା । ସ୍ଥିତି ଏମିତି ଥିଲା ଅଧିକାଂଶ ଆଦିବାସୀ ଇଲାକା ନକ୍ସଲଙ୍କ ହିଂସା ବ୍ୟତିବ୍ୟସ୍ତ ଥିଲା । ବିଜେପି ହିଂସା କରୁଥିବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଯେଉଁ ଦ୍ରୁତ ଗତିରେ କାର୍ଯ୍ୟାନୁଷ୍ଠାନ ହେଉଛି, ଆଦିବାସୀ ସମାଜକୁ ଶୀଘ୍ର ଫାଇଦା ହେବ । ଦେଶରୁ ନକ୍ସଲବାଦ ଅନ୍ତ କରିବା ମୋର ଗ୍ୟାରେଣ୍ଟି । 

ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ବିର୍ସାମୁଣ୍ଡା ଏଠାରେ ଓଡ଼ିଶାରେ ଲୋକଙ୍କ ପାଇଁ ରାସ୍ତା ତିଆରି ହେଉଛି । ୧୧ଟି ଜିଲ୍ଲାରେ ଆବାସିକ ବିଦ୍ୟାଳୟ ତିଆରି ହେଉଛି । ପିଏମ୍‌ ଜନମନ ଯୋଜନାରେ ଆଦିବାସୀଙ୍କ କଲ୍ୟାଣ ହେଉଛି । ପଛୁଆ ଆଦିବାସୀ ବର୍ଗକୁ ଏହାଦ୍ୱାରା ଫାଇଦା ହେଉଛି ।

ପୂର୍ବ ଭାରତର ବିକାଶରେ ଜୁଟିଛନ୍ତି ସରକାର । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏଥିରେ ଗତି ଆସିଛି । ପୂର୍ବୋଦୟରୁ ଓଡ଼ିଶାର ବିକାଶ ହେବ । ଏଠାରେ ଛୋଟ ଲଘୁ ଉଦ୍ୟୋଗୀଙ୍କୁ ଅନେକ ସୁବିଧା ମିଳିବ । ଓଡ଼ିଶା ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ପାଲଟିବ । ଆଗାମୀ ୧୦ ବର୍ଷରେ ଓଡ଼ିଶା ବିକାଶର ରୋଡ୍‌ମ୍ୟାପ ପ୍ରସ୍ତୁତ ହୋଇଛି । ରାଜ୍ୟରେ ବିଜେପି ସରକାର ପାଖରେ ୨୦୪୭ ଓଡ଼ିଶା ପାଇଁ ବି ରୋଡ୍‌ମ୍ୟାପ ପ୍ରସ୍ତୁତ ରହିଛି । ଆମେ ସମସ୍ତେ ଓଡ଼ିଶାକୁ ବିକାଶର ନୂଆ ଦିଗ ଦେଖାଇବା ।