କନକ ବ୍ୟୁରୋ : ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ଆରମ୍ଭ କରି ଆମେରିକା ନେତାମାନଙ୍କୁ ଭାରତ ପକ୍ଷରୁ ଦିଆଯାଇଥିବା ଉପହାରର ସୂଚୀ ଜାରି କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ ଜାରି ତାଲିକାରେ ଉଭୟ ଭୌତିକ ଉପହାର ସହିତ ଯାତ୍ରା ଉପହାର କିମ୍ବା ଯାତ୍ରା ବ୍ୟୟ ରହିଛି । ୨୦୨୪ ସୁଦ୍ଧା ଏହି ଉପହାର ପ୍ରଦାନ କରାଯାଇଥିବାବେଳେ ଏସବୁ ଉପହାର ମଧ୍ୟରେ ସବୁଠୁ କମ୍ ମୂଲ୍ୟ ୪୮୦ ଡଲାର ରହିଥିଲା । ଆମେରିକାର ଅଫିସ ଅଫ୍ ଚିଫ୍ ଅଫ୍ ପ୍ରୋଟୋକଲ ଅନ୍ୟ ଦେଶର ସରକାରଙ୍କ ପକ୍ଷରୁ ମିଳିଥିବା ଉପହାରର ତାଲିକା ପ୍ରକାଶ କରିଥାଏ । ଭାରତ ପକ୍ଷରୁ ଦିଆଯାଇଥିବା ଉପହାର ମଧ୍ୟରେ ସେପ୍ଟେମ୍ବର ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ବାଇଡେନଙ୍କୁ ଦିଆଯାଇଥିବା କାଠ ସିନ୍ଦୁକ, ସ୍କାର୍ଫ, ଜାର୍ରେ ଥିବା ସାଫ୍ରନ୍, ଚା’ ପତି ରଖିବାକୁ ଏକ କାଠ ବାକ୍ସ ରହିଛି । ଏସବୁ ସାମଗ୍ରୀର ମୂଲ୍ୟ ୫୬୨ ଡଲାର ହୋଇଥିବା ଆକଳନ କରାଯାଇଛି ।
୨୦୨୪ ମସିହା ଜୁଲାଇ ୧୬ ତାରିଖରେ ମୋଦୀ ବାଇଡେନଙ୍କୁ ଏକ ରୁପାର ଟ୍ରେନ୍ ସେଟ୍ ପ୍ରଦାନ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ ୭୭୫୦ ଡଲାର ହେବ । ଅକ୍ଟୋବର ୨୧, ୨୦୨୪ରେ ମୋଦୀ ଆମେରିକାର ତତ୍କାଳୀନ ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ଏକ ପସମିନା ସଲ୍ ଉପହାର ସ୍ବରୂପେ ପ୍ରଦାନ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨୯୬୯ ଡଲାର ଥିଲା । ଏହାବ୍ୟତୀତ କମଳା ହାରିସ୍ଙ୍କୁ ମୋଦୀ ୨୦୨୪ରେ ପ୍ରଦାନ କରିଥିବା କୃଷ୍ଣ ରାସଲୀଳା ଖୋଦିତ ରୂପା ବାକ୍ସ ରହିଛି,ଆନୁମାନିକ ମୂଲ୍ୟ ୧,୩୩୦ ଡଲାର ରହିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ବାରା ଆମେରିକାର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନଙ୍କୁ ଶିବ ନଟରାଜଙ୍କ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲେ, ଯାହାର ମୂଲ୍ୟ ୩,୭୦୦ ଡଲାର ରହିଥିଲା ।
ଅଧିକ ପଢ଼ନ୍ତୁ---ଚୀନରେ କ'ଣ ଘଟୁଛି ? ସେନା ଓ ସି ଜିନପିଙ୍ଗଙ୍କ ମଧ୍ୟରେ ବଢ଼ୁଛି ଉତ୍ତେଜନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/30/india-gift-america-2026-01-30-16-20-29.jpg)