କନକ ବ୍ୟୁରୋ: ଜମୁଛି ଦିଲ୍ଲୀ ନିର୍ବାଚନ ପ୍ରଚାର ଲଢେଇ । ହାତରେ ୧୫ ଦିନ ଥିବା ବେଳେ ରଣହୁଙ୍କାର ଦେଉଛନ୍ତି ତିନି ପ୍ରମୁଖ ଦଳର ନେତା । କେମିତି ଜନତାଙ୍କ ଭୋଟ୍‌ ନେବେ ସେନେଇ ରଣନୀତି ବି ପ୍ରସ୍ତୁତ କରୁଛନ୍ତି । ହେଲେ କେଜ୍ରିୱାଲଙ୍କୁ ଘେରିବାକୁ ବିରୋଧୀ ବିଜେପି ଓ କଂଗ୍ରେସ ଯେଉଁ ରଣନୀତି ଆପଣାଇଲେଣି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଆଗାମୀ ନିର୍ବାଚନରେ ଆପର ଅଖଚକ ପୁରା ଜାମ ହୋଇଯିବ । ଲଗାତାର ଦ୍ବିତୀୟ ଥର କ୍ଷମତା ପାଇବା ପରେ ତୃତୀୟ ଥର ସିଏମ ଚୌକିରେ ବସିବାକୁ ଚେଷ୍ଟା କରୁଛନ୍ତି କେଜ୍ରିୱାଲ । ହେଲେ ଏଥର ସତ୍ତାକୁ ଫେରିବାକୁ ଆଦୌ ସହଜ ହେବନି । ଖାସ କରି ବହୁଚର୍ଚ୍ଚିତ ମଦ ଦୁର୍ନୀତିରେ ଛନ୍ଦି ହୋଇ କେଜ୍ରିୱାଲ ଓ ତାଙ୍କ ଦଳୀୟ ନେତାମାନେ ଜେଲ୍‌ ଯିବାଠୁ ଆରମ୍ଭ କରି ମାଳମାଳ ମାମଲାରେ ଫଶିଛନ୍ତି । ତେଣୁ ସାଧାରଣ ଜନତା ଆପ୍‌ ସରକାର ଉପରେ ଏଥର ଆଉ ବିଶ୍ବାସ କରିବେ ନାହିଁ ବୋଲି କୁହାଯାଉଛି । 

Advertisment


କେଜ୍ରିୱାଲଙ୍କୁ ମହଙ୍ଗା ପଡ଼ିଲା
ମୋଦି-ରାହୁଲଙ୍କୁ ଟାର୍ଗେଟ୍‌
ଏବେ ଉଭୟ ଦଳ କରୁଛନ୍ତି କାଉଣ୍ଟର ଆଟାକ୍‌

ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆପ୍‌ ପକ୍ଷରୁ ପ୍ରଥମେ ପ୍ରାର୍ଥୀ ଘୋଷଣା ହୋଇଥିଲା । ଦଳର ରଣନୀତି ଦେଖିଲେ ସ୍ପଷ୍ଟ ଭାବରେ ବୁଝାପଡୁଥିଲା କି, ଏଥର କୌଣସି ପରିସ୍ଥିତିରେ ବିରୋଧୀ ଦଳରେ ବସିବାକୁ ସେମାନେ ରାଜି ନାହାନ୍ତି । ସେଇଥି ଲାଗି ତ କେଜ୍ରିୱାଲ ମୋଦି ଓ ରାହୁଲଙ୍କୁ ଟାର୍ଗେଟ୍‌ କରିଥିଲେ ତାହା ପୁଣି ସିଧାସଳଖ । ହେଲେ ସେହି ଟାର୍ଗେଟ୍‌ ଏବେ ଆପ୍‌ ଉପରେ ଭାରି ପଡ଼ିଛି । ଅର୍ଥାତ୍‌, ବିଜେପି ଓ କଂଗ୍ରେସ ପକ୍ଷରୁ ଆପ ଉପରେ ଜୋରଦାର ହମଲା କରାଯାଉଛି । 

ପ୍ରଥମେ ମଦ ଦୁର୍ନୀତି
ଏବେ ସ୍ବାସ୍ଥ୍ୟ ବିଭାଗରେ ଦୁର୍ନୀତି

ଦୁର୍ନୀତି ମୁକ୍ତ ନାରା ଦେଇ ଦିଲ୍ଲୀରେ ଦୁଇଦୁଇ ଥର ସରକାର କରିଥିଲେ କେଜ୍ରିୱାଲ । ହେଲେ ତୃତୀୟ ଥର ସେ ଚାଲ ଆଉ ଚଳିବ ନାହିଁ । କାରଣ ଦିଲ୍ଲୀରେ ମଦ ଦୁର୍ନୀତିରେ କୋଟି କୋଟି ଟଙ୍କା ରାଜସ୍ବ ହାନୀ ହୋଇଛି । ଇଏ ତ ଗଲା ମଦ ଦୁର୍ନୀତିର କଥା । ଏବେ ପୁଣି ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଛି ସ୍ବାସ୍ଥ୍ୟ ଦୁର୍ନୀତିର ଅଭିଯୋଗ । ଅବକାରୀ ବିଭାଗ ପରି ସ୍ବାସ୍ଥ୍ୟ ବିଭାଗରେ ବି କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ଆପ ଉପରେ ଖୁବ ବର୍ଷିଛି କଂଗ୍ରେସ । ଏହାସହ ଦଳ କହିଛି, ସିଏଜି ରିପୋର୍ଟ ଅନୁସାରେ କେଜ୍ରିୱାଲଙ୍କ ବିରୋଧରେ ୩୮୨ କୋଟି ଟଙ୍କାର ଦୁର୍ନୀତି ରହିଛି । ତେଣୁ ଏଥର ଦିଲ୍ଲୀବାସୀ କେଜ୍ରିୱାଲଙ୍କୁ ଆଉ ବିଶ୍ବାସକୁ ନେବେ ନାହିଁ ।

ମୋଦିଙ୍କ ଟାର୍ଗେଟ୍‌ରେ କେଜ୍ରିୱାଲ

ଦିଲ୍ଲୀ ନିର୍ବାଚନ ଲାଗି ଏବେ ରାଜଧାନୀର ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇଛି । ବିଜେପି ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ମୋଦି । ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ନୀତି କହିଲେ ଆପକୁ ବୁଝାଏ । ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବାସଭବନରେ ଦୁର୍ନୀତିର ଗନ୍ଧ ଆସୁଛି । ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଦେବାକୁ ବି ଆପ୍‌ ଚେଷ୍ଟା କରୁନି । ନିର୍ବାଚନ ଆସୁଥିବାରୁ ନିଇତି ନୂଆନୂଆ ଯୋଜନା ଘୋଷଣା କରୁଛି ଆପ । ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ବି ଦେଉଛି ଦଳ । ହେଲେ ସେମାନେ ଭୁଲି ଯାଉଛନ୍ତି କି, ଜନତା ମୁର୍ଖ ନୁହନ୍ତି । ଯୋଜନା କରିବାରେ ଆପ୍‌ ବହୁତ ଡେରି କରିଦେଇଛି ବୋଲି ମୋଦି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୧୦ ବର୍ଷ କ୍ଷମତାରେ ରହିବା ପରେ ବି ଯୋଜନା କରିବାରେ ସଫଳ ହେଲେନାହିଁ ଯେ ଏବେ ପୁଣି ଯୋଜନା କରୁଛନ୍ତି । 

କଂଗ୍ରେସ ବି ବର୍ଷିଲା

ବିଜେପି ଯେଉଁପରି ଭାବରେ କେଜ୍ରିୱାଲଙ୍କ ଉପରେ ବର୍ଷିଛି । ଠିକ୍‌ ସେମିତି କଂଗ୍ରେସ ବି ଆଟାକ୍‌ କରିଛି କେଜ୍ରିୱାଲଙ୍କ ଉପରେ । ଦଳ କହିଛି, ଦୁର୍ନୀତି କରିବାରେ ମାଷ୍ଟର ହେଉଛି ଆପ୍‌ ସରକାର । ଲୋକଙ୍କ ଟିକସ ପଇସାରେ ସରକାର ଯେଉଁଭଳି ଦୁର୍ନୀତି କରିଛନ୍ତି ତାହାକୁ କେବେ ବି ଗ୍ରହଣ କରିବ ନାହିଁ ଦିଲ୍ଲୀ । ଏଥର ଆପ୍‌ ସରକାର କରିବାରେ କେବେ ସଫଳ ହେବ ନାହିଁ ବୋଲି ଦଳ କହିଛି ।

ମୋଟ୍‌ ଉପରେ ଦିଲ୍ଲୀର ଜଙ୍ଗ ଜିତିବାକୁ ଏବେ ତିନି ପ୍ରମୁଖ ଦଳ ଗ୍ରାଉଣ୍ଡରେ ଡେରା ପକାଇଛନ୍ତି । ନିଇତି ସଭା କରିବା ସହିତ ନୂଆନୂଆ ଯୋଜନା କରି ଲୋକଙ୍କ ଭୋଟ ନେବାକୁ ଚାହୁଁଛନ୍ତି । ତେଣୁ ଏମିତି ଆରୋପ-ପ୍ରତ୍ୟାରୋପ ରାଜନୀତିରେ କେମିତି କେଜ୍ରିୱାଲ ଭୋଟ୍‌ ବ୍ୟାଙ୍କ ଯୋଗାଡ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।