କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଚାଷୀଙ୍କ ଖାତାକୁ ଯାଇଛି ପିଏମ କିଷାନ ଟଙ୍କା। ସିଧାସଳଖ ପାଖାପାଖି ୧୦ କୋଟି ଚାଷୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ମୋଦୀ। ଟଙ୍କା ପାଇ ଖୁସ୍ ଚାଷୀ । 

Advertisment

ଚାଷ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବାବେଳେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଛି ଟଙ୍କା। ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ଦେଶର ୯କୋଟି ୭୦ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ। ବାରଣାସୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରୁ ପିଏମ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି ମୋଦୀ। ଓଡିଶାର ୩୪ଲକ୍ଷ ୮୫ ହଜାର ଚାଷୀ ଏହି କିସ୍ତିରେ ଟଙ୍କା ପାଇଛନ୍ତି। ଏହା ଦ୍ବାରା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

ରାଜ୍ୟରେ ବିଜେପି ସରକାର ଆସିବା ପରେ ପିଏମ କିଷାନ ହିତାଧିକାରୀଙ୍କ ସଂଖ୍ୟା ବଢ଼ିଛି । କୃଷି ବିଭାଗର ତଥ୍ୟ ଅନୁସାରରେ ପୂର୍ବ ସରକାର ସମୟରେ ଓଡ଼ିଶାରୁ ୨୮ଲକ୍ଷ ଚାଷୀ ପିଏମ କିଷାନ ଟଙ୍କା ପାଉଥିବାବେଳେ ଏବେ ୩୪ଲକ୍ଷ ୮୫ ହଜାରକୁ ବୃଦ୍ଧି ପାଇଛି । ନଜର ପକାନ୍ତୁ ଏହି ତଥ୍ୟ ଉପରେ .. 

ପିଏମ କିଷାନ ଟଙ୍କା     .. ଚାଷୀ ସଂଖ୍ୟା 
୧୬ତମ କିସ୍ତି              ୨୮. ୯୬ଲକ୍ଷ 
୧୭ତମ କିସ୍ତି              ୨୯. ୦୫ଲକ୍ଷ 
୧୮ତମ କିସ୍ତି              ୩୧.୫୦ଲକ୍ଷ 
୧୯ତମ କିସ୍ତି              ୩୩.୧୩ଲକ୍ଷ 
୨୦ତମ କିସ୍ତି               ୩୪.୮୫ଲକ୍ଷ 

ଏଥିସହ ଆଗକୁ ସହରୀ ଚାଷୀ ଏବଂ ଗ୍ରାମାଂଚଳ ଚାଷୀଙ୍କୁ ଯୋଡିବାକୁ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷ କାର୍ଯ୍ୟ ସମୟରେ ଟଙ୍କା ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ଚାଷୀ । ସରକାର ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପିଏମ କିଷାନ ଯୋଜନାରେ ବାର୍ଷିକ ୬ହଜାର, ସିଏମ କିଷାନରେ ୪ହଜାର ଟଙ୍କା ସହାୟତା ଦେଉଛନ୍ତି ସରକାର। କିନ୍ତୁ ବିଡମ୍ବନାର ବିଷୟ ଲକ୍ଷାଧିକ ଭାଗ ଚାଷୀ ଏହି ଯୋଜନାରେ ସାମିଲ ହୋଇପାରି ନାହାନ୍ତି।