କନକ ବ୍ୟୁରୋ :  ଆଦିମ ଜନଜାତୀଙ୍କୁ ସମାଜର ମୁଖ୍ୟଧାରା ସହ ଯୋଡିବାକୁ ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର। ସ୍ୱତନ୍ତ୍ର ପିଏମ-ଜନମନ୍ ବା ପ୍ରଧାନମନ୍ତ୍ରୀ ଜନଜାତୀ ଅଦିବାସୀ ନ୍ୟାୟ ମହାଅଭିଯାନ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ୩ ଲକ୍ଷ ଆଦିମ ଜନଜାତୀ ଶ୍ରେଣୀର ଲୋକେ ଉପକୃତ ହେବେ। ମାଲକାନଗିରି ୧୨୫ଟି ଗାଁରେ ବଣ୍ଡା ଓ ଦିଦାୟୀ ସମ୍ପ୍ରଦାୟର ପ୍ରାୟ ୩୦ ହଜାର ଲୋକ ବସବାସ କରୁଛନ୍ତି। ପିଏମ୍‌-ଜନମନ ଅଭିଯାନ ମାଧ୍ୟମରେ ସେମାନଙ୍କ ଜୀବନ ଧାରଣରେ ବ୍ୟାପକ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ସମସ୍ତଙ୍କୁ ପକ୍କାଘର, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବିଦ୍ୟୁତ ଓ ମୋବାଇଲ ସେବା.. ଭଳି ୧୦ଟି ଦିଗକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି ।

Advertisment

୩ ବର୍ଷ ଧରି ଚାଲିବ ପିଏମ୍‌ ଜନମନ ଅଭିଯାନ । ୧୮ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଯୋଜନା କାର୍ୟ୍ୟକାରୀ ହେବ। ଏଥିପାଇଁ ୨୪ ହଜାର ୧୦୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ମାଲକାନଗିରିରେ ଅଗଷ୍ଟ ୨୩ରୁ ସେପ୍ଟେମ୍ୱର ୧୦ ତାରିଖ ସଚେତନତା କାର୍ୟ୍ୟକ୍ରମ ଚାଲିବ। ଗାଁରୁ ଗାଁ ଯାଇ ଆଧାରକାର୍ଡ, ବ୍ୟାଙ୍କ ଖାତା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯିବ। ଆଦିମ ଜନଜାତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବ ପ୍ରଶାସନ। ପ୍ରଥମ ପର୍ୟ୍ୟାୟରେ ୩ଟି ଆଦର୍ଶ ଗାଁ ଚୟନ କରାଯାଇଛି। ୧୨୫ଟି ଆଦିମ ଜନଜାତିଙ୍କ ଗାଁକୁ ମଡେଲ ଗାଁରେ ପରିଣତ କରାଯିବ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ। 

ପୂର୍ବରୁ ଆଦିମ ବଣ୍ଡା ଓ ଦିଦାୟୀ ଜନଜାତୀଙ୍କ ପାଇଁ ବଣ୍ଡା ଓ ଦିଦାୟୀ ଉନ୍ନୟନ ସଂସ୍ଥା ଜରିଆରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏହି ଅଭିଯାନ ଆଦିମ ଜନଜାତୀଙ୍କ ଜୀବନ ଧାରାରେ କି ପରିବର୍ତନ ଆଣିବ, ତାହା ସମୟ କହିବ।