କନକ ବ୍ୟୁରୋ: ନିର୍ବାଚନକୁ ଆହୁରି ୪ ବର୍ଷ ସମୟ ବାକି ଅଛି । ହେଲେ ବିରୋଧୀଙ୍କ ପ୍ରତିବାଦ ଓ ଆନ୍ଦୋଳନ ଓଡ଼ିଶାରେ ନିର୍ବାଚନୀ ମାହୋଲ ସୃଷ୍ଟି କଲାଣି । ଏଭଳି ବିଚିତ୍ର ସ୍ଥିତି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ଶାସନ କାଳରେ ଦେଖିବାକୁ ମିଳିଥିଲା । ଯାହାର ପୁନରାବୃତ୍ତି ହେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Advertisment
  • ଓଡ଼ିଶା ରାଜନୀତିର ବିଚିତ୍ର ସ୍ଥିତି
  • ସଣ୍ଢୁଆଶି ଆକ୍ରମଣ କରୁଛନ୍ତି ବିରୋଧୀ
  • ବର୍ଷକରେ ସରକାର ଆକ୍ତାମାକ୍ତା!

ଜୁନ୍ ୨୦, ଜନତା ମୈଦାନ । ବର୍ଷକର ଉପଲବ୍ଧିକୁ ରାଜ୍ୟବାସୀଙ୍କ ସାମ୍ନାରେ ରଖିଥିଲେ ମୋହନ ସରକାର । ରାଜ୍ୟ ସରକାରଙ୍କୁ ସୁଶାସନର ସାର୍ଟିଫିକେଟ ଦେଇଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ । ସଫଳତାକୁ ନେଇ ଫ୍ରଣ୍ଟଫୁଟରେ ବ୍ୟାଟିଂ କରୁଥିବା ଶାସକ ଦଳ ଏବେ କିନ୍ତୁ ବ୍ୟାକଫୁଟରେ । ମାଳ ମାଳ ପ୍ରସଙ୍ଗକୁ ନେଇ ସରକାରଙ୍କୁ ନିଇତି ହଲାପଟା କରୁଛନ୍ତି ଉଭୟ ବିରୋଧୀ ବିଜେଡି-କଂଗ୍ରେସ । 

  • ଗୋପାଳପୁର ଗଣଦୁଷ୍କର୍ମ
  • ରଥଯାତ୍ରା ବିଭ୍ରାଟ
  • ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା
  • ଜଗତସିଂହପୁର ନାବାଳିକା ଗଣଦୁଷ୍କର୍ମ

ଏହିସବୁ ପ୍ରସଙ୍ଗରେ ବିରୋଧୀଙ୍କ ଜୋରଦାର ପ୍ରତିବାଦ ସରକାରଙ୍କୁ ନୟାନ୍ତ କଲାଣି । ଆକ୍ତାମାକ୍ତା ହୋଇଗଲାଣି ଲୋକଙ୍କ ସରକାର । ପ୍ରାୟତଃ ନିର୍ବାଚନର ବର୍ଷକ ପୂର୍ବରୁ ଏଭଳି ସ୍ଥିତି ଦେଖିବାକୁ ମିଳେ । ହେଲେ ବିଜେପି ସରକାରକୁ ବର୍ଷେ ପୂରିଥିବା ବେଳେ ବିରୋଧୀଙ୍କ ଆଭିମୁଖ୍ୟ ଓଡ଼ିଶା ରାଜନୀତିର ଏଭଳି ବିଚିତ୍ର ସ୍ଥିତି ସୃଷ୍ଟି କଲାଣି । 

ଜାତୀୟସ୍ତରରେ ଓଡ଼ିଶା ପ୍ରସଙ୍ଗକୁ ଉଠାଇ ଏବେ ବିଜେପିକୁ ଘନ ଘନ ଆକ୍ରମଣ କରୁଛି କଂଗ୍ରେସ । ବିଜେଡି ମଧ୍ୟ ଓଡ଼ିଶାରେ ବିରୋଧ ପ୍ରଦର୍ଶନରେ ପଛୁଆ ନାହିଁ । ଦିଲ୍ଲୀରୁ ପଲ୍ଲୀ, ବିରୋଧୀଙ୍କ ଟାର୍ଗେଟରେ ଏବେ ଶାସକ ବିଜେପି । ଅନ୍ୟପଟେ ସମାନ ପ୍ରସଙ୍ଗକୁ ନେଇ ଲଗାତାର ଉଭୟ ଦଳର ବିରୋଧ ପ୍ରଦର୍ଶନ ଜନମାନସରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କଲାଣି । ବର୍ଷେ ଭିତରେ ସରକାର ବାରମ୍ବାର ବିବାଦୀୟ ହେବା ଓ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ନୂଆ ସମୀକରଣକୁ ଜନ୍ମ ଦେଉଛି । 

ଜାଣିରଖିବା ଉଚିତ ଯେ, କଂଗ୍ରେସର ଅସ୍ତିତ୍ବ ବଞ୍ଚାଇବା ରାସ୍ତାରେ ବିଜେପି ସବୁଠୁ ବଡ଼ କଣ୍ଟା । ତେଣୁ ବିଜେପିକୁ ଚେକମେଟ୍ ଦେବାକୁ ବିଭିନ୍ନ ଆଞ୍ଚଳିକ ଦଳ ସହ ମେଣ୍ଟ କରିଛି କଂଗ୍ରେସ । ଓଡ଼ିଶାରେ ମଧ୍ୟ ଦଳ ସେହି ଫର୍ମୁଲା ଆପଣାଇଥିବା ଚର୍ଚ୍ଚା ।