କନକ ବ୍ୟୁରୋ : ସାରାଦେଶ ୭୯ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆଜି ବି ଆମେ ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଛୁ । ଏଥିପାଇଁ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଟାର୍ଗେଟ୍ କରି ୫୦ ବର୍ଷ ତଳର ଜରୁରୀକାଳୀନ ପରିସ୍ଥିତି କଥା ଉଠାଇ ବର୍ଷିଛନ୍ତି । ସରକାର ଫାଇଲରେ ନୁହେଁ ଲୋକଙ୍କ ଲାଇଫରେ ରହିବା ଉଚିତ । ସରକାର ଲୋକଙ୍କ ଘରକୁ ଯିବା ଉଚିତ । ଗରିବୀ ହଟାଅ ନାରା ଶୁଣି ଶୁଣି ଦେଶବାସୀ ଥକି ଯାଇଥିଲେ । ଗରିବୀ ହଟିବ ବୋଲି ଦେଶବାସୀ ବିଶ୍ବାସ କରୁନଥିଲେ । କିନ୍ତୁ ୨୫ କୋଟି ଲୋକଙ୍କୁ ବିଜେପି ସରକାର ମୁକ୍ତି ଦେଇଛି ।
ପ୍ରଧାନମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ସମାଲୋଚନା କରିଛନ୍ତି । ବିଜେପି ସରକାରର ସଫଳତାକୁ ଗଣାଇବା ସହ ପୂର୍ବ ସରକାରକୁ କଟାକ୍ଷ କରିଛନ୍ତି। କହିଛନ୍ତି, ୧୪ମାସ ହେବ ଓଡ଼ିଶା ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି । ଗୋଟିଏ ବର୍ଷରେ ଅନେକ କାର୍ଯ୍ୟ ପ୍ରଥମ ଥର ପାଇଁ ହୋଇଛି, ଯାହା ହୁଏତ ଆଗରୁ ହୋଇପାରିଥାନ୍ତା । ରାଜନୈତିକ ଉଦ୍ଦେଶ୍ୟ ଥିବା ପଲିସିରେ ପାରାଲିସିସ୍ ଯୋଗୁଁ ପ୍ରଗତିରେ ବାଧା ଉପୁଜିଛି।
କେନ୍ଦ୍ର ଓ ରାଜ୍ୟର ଦୁଇ ମୁଖ୍ୟ କଟାକ୍ଷ କରିବା ପରେ ପାଲଟା ସମାଲୋଚନା କରିଛନ୍ତି ବିରୋଧୀ। ଲାଲକିଲ୍ଲାରୁ ମୋଦୀ ଆରଏସଏସକୁ ପ୍ରଶଂସା କରିବାକୁ ନେଇ ବିରୋଧୀ ଘେରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଦୋଷ ଦେବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ।
ସ୍ବାଧୀନତା ଦିବସରେ ଏଭଳି ଶାସକ ଓ ବିରୋଧୀ ଦଳର ବୟାନବାଜି ଦେଶର ରାଜନୀତିକୁ ଉଷ୍ଣ କରିଛି।