ଆଜି ଆସିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ହେବ ପ୍ରକାଶିତ । ଅପରାହ୍ଣ ୪ ଟାରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପରେ ଅପରାହ୍ଣ ୫ ଟାରୁ ୱେବସାଇଟରେ ନିଜ ନିଜର ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । results.odisha.gov.in କିମ୍ବା results.digilocker.gov.in ମାଧ୍ୟମରେ ଜାଣିହେବ ଫଳାଫଳ । ସେହିପରି ସମାନ ସମୟରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମାନେ ସାମ୍‌ସ ଇ-ସ୍ପେସ୍‌ରୁ ସେମାନଙ୍କ ବିଦ୍ୟାଳୟର ଟାବୁଲେସନ୍‌ ‌ରେଜିଷ୍ଟର ପାଇପାରିବେ । ଯାହାକି ପିଲାମାନଙ୍କ ୨୦୨୫ ତତ୍କାଳ ପରୀକ୍ଷାର ଫର୍ମ ପୂରଣରେ ସହାୟକ ହେବ । ଚଳିତ ବର୍ଷ ୩ଲକ୍ଷ ୯୩ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରେ କଳା ବିଭାଗରେ ୨ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ହଜାର ଓ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ରହିଛନ୍ତି ।

Advertisment
Result out
Result out Photograph: (google)

ସେପଟେ ବଢିଲା ଯୁକ୍ତ ତିନି ନାମଲେଖା ଅବଧି । ଜୁନ୍‌ ୧ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ । ଏହି ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍‌ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍‌ଲୋଡ୍‌ କରିପାରିବେ । ପ୍ରଥମ, ଦ୍ବିତୀୟ, ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍‌ ତାଲିକା ଓ ୱେଟିଂ ଲିଷ୍ଟ୍ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ, କ୍ଲାସ୍ ସମ୍ପର୍କରେ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ତିନି ନାମଲେଖା ପାଇଁ ମଙ୍ଗଳବାର ଶେଷ ତାରିଖ ରହିଥିବା ବେଳେ ସିଏଚ୍‌ଏସ୍‌ଇ ଅଧୀନ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇନଥିଲା । ଯାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ଚିନ୍ତାରେ ରହିଥିଲେ ଛାତ୍ରଛାତ୍ରୀ । କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ତତ୍ପରତା ପ୍ରକାଶ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫୋନ୍‌ ଯୋଗେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଆଲୋଚନା କରିଥିଲେ । ବିଭାଗୀୟ ଅଧିକାରୀଙ୍କ ମତାମତ ସଂଗ୍ରହ ପରେ ଆବେଦନ ସମୟସୀମାକୁ ବୃଦ୍ଧି କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ୍ ୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ସାମ୍‌ସ ଅଧୀନରେ ଆସୁଥିବା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ  ଯୁକ୍ତ ୩ ମହାବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ, ସେଲ୍‌ଫ ଫାଇନାନ୍ସିଂ ପାଠ୍ୟକ୍ରମ ଓ ସଂସ୍କୃତ ପାଠ୍ୟକ୍ରମରେ ନାମଲେଖା କ୍ଷେତ୍ରରେ ଏହା ଲାଗୁ ହେବ । ଚଳିତ ଶିକ୍ଷାବର୍ଷରୁ ସ୍ନାତକ ନାମଲେଖା କ୍ଷେତ୍ରରେ ଏସ୍‌ଇବିସି ବର୍ଗଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । ନାମଲେଖା ପ୍ରକ୍ରିୟାରେ ଛାତ୍ରଛାତ୍ରୀ ବୈଧ ଏସ୍‌ଇବିସି ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି ।