କନକ ବ୍ୟୁରୋ: ଚେନ୍ନାଇ ବିପକ୍ଷରେ ଡେବ୍ୟୁ କରିବା ପରେ ଏବେ ସମସ୍ତଙ୍କ ନଜରରେ ଆୟୁଷ ମହାତ୍ରେ । ସେ ହେଉଛନ୍ତି ୧୭ ବର୍ଷୀୟ ଆୟୁଷ ମହାତ୍ରେ । ୬ ବର୍ଷ ବୟସରୁ ଆରମ୍ଭ କରିଥିବା କ୍ରିକେଟର ଏହି ଯାତ୍ରାକୁ ସେ ଖୁବଶୀଘ୍ର ସଫଳ କରିପାରିଛନ୍ତି । ତେବେ ଏତେ ସହଜ ନଥିଲା ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା । କ୍ରିକେଟର ଏବିସିଡି ଶିଖିବା ପାଇଁ ସେ ପ୍ରତିଦିନ ୮୦ କିମି ଯାତ୍ରା କରୁଥିଲେ । ଆଉ ଏହି ଘଟଣାରୁ ବାରି ହୋଇଯାଉଛି କ୍ରିକେଟ ପ୍ରତି ତାଙ୍କର କେତେ ସମର୍ପଣ ଭାବ ରହିଥିଲା ।
ଆୟୁଷ ମୁମ୍ୱାଇ ବିପକ୍ଷରେ ଚେନ୍ନାଇ ପାଇଁ ଡେବ୍ୟୁ କରିଛନ୍ତି । ଆଉ ଚେନ୍ନାଇ ପାଇଁ ସବୁଠାରୁ କମ ବୟସ୍କ ଖେଳାଳି ଭାବେ ଡେବ୍ୟୁ କରିବାରେ ରେକର୍ଡ କରିଛନ୍ତି । ଏହି ମ୍ୟାଚରେ ସେ ପ୍ରଥମ ଓ୍ୱିକେଟ ପରେ ବ୍ୟାଟିଂ ଆସିଥିଲେ । ଆସୁ ଆସୁ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ସେ ୧୫ ବଲରେ ୨ ଛକା ୪ ଚୌକା ବଳରେ ୩୨ ରନ କରିଦେଇଥିଲେ । ଅଶ୍ୱନୀ କୁମାର ଓ ଦୀପକ ଚହରଙ୍କୁ ସାମ୍ନା କରି ଆକ୍ରାଣାତ୍ମକ ସଟ୍ ଖେଳିଥିଲେ । ଆଉ ତାଙ୍କ ବ୍ୟାଟିଂ କରିବାର ଅନ୍ଦାଜ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କେବଳ ବ୍ୟାଟିଂ ନୁହେଁ ସେ ବାଉଣ୍ଡ୍ରି ପାଖରେ ଚମତ୍କାର ଫିଲ୍ଡିଂ କରି ଦଳ ପାଇଁ ୬ ରନ ଅଟକାଇଦେଇଥିଲେ ।
ମୁମ୍ୱାଇ ବିରାର ଉପନଗରର ବାସିନ୍ଦା ହେଉଛନ୍ତି ଆୟୁଷ ମହାତ୍ରେ । ସେ ଘରୋଇ କ୍ରିକେଟରେ ୬ଟି ଫାଷ୍ଟକ୍ଲାସ ମ୍ୟାଚ ସହ ୫ଟି ଲିଷ୍ଟ ଏ ମ୍ୟାଚ ଖେଳିଛନ୍ତି । ଇରାନୀ କପ ବିଜେତା ମୁମ୍ୱାଇ ଦଳର ସେ ଥିଲେ ସଦସ୍ୟ । ରଣଜୀ ଟ୍ରଫିରେ ପଦାର୍ପଣ କରି ମହାତ୍ରେ ୭୧ ବଲରେ ୫୨ ରନ କରିଥିଲେ । ହେଲେ ମୁମ୍ୱାଇ ଏହି ମ୍ୟାଚ ବଡୋଦା ବିପକ୍ଷରେ ପରାଜିତ ହୋଇଥିଲା । ଏହାପରେ ମହାରାଷ୍ଟ୍ର ବିପକ୍ଷରେ ୨୩୨ ବଲରେ ୨୨ ଚୌକା ୪ ଛକା ବଳରେ ୧୭୬ ରନର ଦମଦାର ପାଳି ଖେଳିଥିଲେ । ପୁଣି ସର୍ଭିସେସ ବିପକ୍ଷରେ ଆଉ ଏକ ଶତକ ହାସଲ କରିଥିଲେ ।
ସେହିପରି ଅଣ୍ଡର ୧୯ ଏସିଆ କପରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ଆଉ ଜାପାନ ବିପକ୍ଷରେ ୫୪ ଓ ୟୁଏଇ ବିପକ୍ଷରେ ୬୭ ରନ କରିଥିଲେ । ସେ ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଖେଳିନଥିଲେ ହେଲେ ୫୦ ଓଭର ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ କର୍ଣ୍ଣାଟକ ବିପକ୍ଷରେ ୭୮ ରନ କରିଥିଲେ । ଏହାପରେ ବିଜୟ ହଜାରେ ଟ୍ରଫିରେ ସେ ପଦାର୍ପଣ କରି ଜୟସ୍ୱାଲଙ୍କ ରେକର୍ଡ ଭାଙ୍ଗିଥିଲେ । ସବୁଠାରୁ କମ ବୟସ୍କ ଖେଳାଳି ଭାବେ ସେ ଏହି ଟୁର୍ଣ୍ଣାମେଣ୍ଟରେ ଶତକ ହାସଲ କରିଥିଲେ ।
ମୁମ୍ୱାଇ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଏହି ଯୁବ ଖେଳାଳି ଆଇପିଏଲରେ ଚେନ୍ନାଇ ପାଇଁ ଖେଳୁଛନ୍ତି । ଆଉ ନିଜର ଏହି ଛୋଟ ପାଳିରେ ଧୂଆଁଧାର ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାତ୍ର ୧୭ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରି ଆଗାମୀ ଦିନରେ ଭାରତୀୟ ଟିମର ଭବିଷ୍ୟତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।