କନକ ବ୍ୟୁରୋ: ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳ । ରାଜ୍ୟ ସରକାର ଆଦିବାସୀ ଅଞ୍ଚଳରେ ଶିଶୁଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ହେଲେ ସ୍ୱାଭିମାନ ଅଞ୍ଚଳରେ ଏହି ବିକାଶ ଯେମିତି ଅପହଞ୍ଚ । କେଉଁଠି ଭଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର ତ ଆଉ କେଉଁଠି ଚାଳ ଛପର ଘରେ । ବିପଦ ସଂକୁଳ ଅବସ୍ଥାରେ ପିଲାଙ୍କ ଭବିଷ୍ୟତ ଗଡୁଛନ୍ତି ଅଙ୍ଗନବାଡି ଦିଦି ।
ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତ ସ୍ଥିତ ତେନ୍ତୁଳିଗୁଡା ଅଙ୍ଗନବାଡି କେନ୍ଦ୍ର। ଦିଦିଙ୍କ ଟାଇଲ ଛପର ଘରେ ବସି ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରୁଛନ୍ତି କୁନି କୁନି ପିଲା । କାରଣ କେନ୍ଦ୍ରର ନିଜସ୍ୱ ଘର ନାହିଁ । ୨ବର୍ଷ ତଳେ ଏକ ଅଙ୍ଗନବାଡି ନୂତନ ଗୃହ ନିର୍ମାଣ ହେଉଥିଲା । ଠିକାଦାର କାମ ସମ୍ପୂର୍ଣ୍ଣ ନକରି ଅଧାରୁ ଛାଡି ଚାଲି ଯିବା ପରେ ଏଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି ।
ଏଇ ଗୋଟିଏ ନୁହେଁ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ୧୮୦ଟି ଅଙ୍ଗନବାଡି କେନ୍ଦ୍ର ଅଛି। ୬୭ଟି କେନ୍ଦ୍ରର ଘର ନାହିଁ । ପାପରମେଟଲା ପଞ୍ଚାୟତର ୮ରୁ ଅଧିକ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗୃହ ନିର୍ମାଣ ହେଉନାହିଁ । ଅଧାରେ ପଡ଼ିଥିବା ନିର୍ମାଣ ମଧ୍ୟ ସଂପୂର୍ଣ୍ଣ କରାଯାଉନାହିଁ । କେବଳ ଘର ନୁହେଁ, ଅନେକ ଅଙ୍ଗନବାଡି କେନ୍ଦ୍ରରେ ସଠିକ ସମୟରେ ଛତୁଆ, ଅଣ୍ଡା ଏବଂ ପୁଷ୍ଟିକର ଖାଦ୍ୟ ପହଁଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଶିଶୁଙ୍କ ସମସ୍ୟା ବାବଦରେ ପ୍ରତିକ୍ରିୟା ପାଇଁ ଚିତ୍ରକୋଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଅଧିକାରୀଙ୍କୁ ଭେଟିଥିଲେ ଆମ ପ୍ରତିନିଧି । କିନ୍ତୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରି ଦେଇଥିଲେ ।