କନକ ବ୍ୟୁରୋ: ଗାଁ ଗହଳିର ଲୋକଙ୍କୁ ସମସ୍ୟା ସରକାରୀ କଟକଣା । ପ୍ଲାଷ୍ଟିକ ବୋତଲରେ ଆଉ ପେଟ୍ରୋଲ ନେଇପାରିବେ ନାହିଁ ବୋଲି ସରକାର କହିବା ପରେ, ଲୋକଙ୍କ ଚିନ୍ତା ବଢ଼ିଛି । ଅଧବାଟରେ ଗାଡ଼ିରୁ ତେଲ ସରିଗଲେ ଜଣେ କଣ କରିବେ? ଗ୍ରାମାଞ୍ଚଳରେ ଯେଉଁଠି ପେଟ୍ରୋଲ ପମ୍ପ ସଂଖ୍ୟା କମ୍, ସେଠାରେ ଖୁଚୁରା ବିକ୍ରେତାଙ୍କ ଉପରେ ନିର୍ଭର କରନ୍ତି ଗାଡ଼ିଚାଳକ । ତେଣୁ ବୋତଲରେ ପେଟ୍ରୋଲ ବିକ୍ରି ନହେଲେ ଆଗକୁ ସମସ୍ୟା ବଢ଼ିବ ।

Advertisment
  • ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ମନା
  • ସମସ୍ୟା ବଢ଼ାଇବ ସରକାରୀ କଟକଣା
  • ହଇରାଣ ହେବେ ଗାଁ ଗହଳିର ଲୋକ    

ଯୋଗାଣ ବିଭାଗ କହିଛି, ରାଜ୍ୟରେ ଆଉ କୌଣସି ପେଟ୍ରୋଲ ପମ୍ପରେ ଲୋକମାନେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେଇପାରିବେ ନାହିଁ । ସୋମବାର ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭିନ୍ନ ପେଟ୍ରୋଲିୟମ୍‌ ସଂଘର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି କରିଛନ୍ତି । ଏହାପରେ ଉତ୍କଳ ପେଟ୍ରୋଲିୟମ୍‌ ସଂଘର ସୂଚନା ଅନୁସାରେ, ରାଜ୍ୟରେ ମୋଟ ୩ ହଜାର ୧୦୦ ପେଟ୍ରୋଲ ପମ୍ପ ରହିଛି । ଲୋକଙ୍କୁ ସୁବିଧାରେ ପେଟ୍ରୋଲ ଯୋଗାଣ ପାଇଁ ପ୍ରତି ୪ରୁ ୫ କିଲୋମିଟରରେ ଏକ ପେଟ୍ରୋଲ ପମ୍ପ ରହିବା କଥା । ଯାହା ରାଜ୍ୟରେ ଆଜିଯାଏଁ ସମ୍ଭବ ହୋଇପାରିନି । ତେଣୁ ଗ୍ରାମାଞ୍ଚଳରେ ଲୋକେ ଅଧିକାଂଶ ସମୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣିଥାନ୍ତି । 

ଏପରିକି ଲୋକଙ୍କୁ ସୁବିଧାରେ ପେଟ୍ରୋଲ ଯୋଗାଇ ଦେବାକୁ ଖୁଚୁରା ବିକ୍ରେତାମାନେ ବୋତଲରେ ପେଟ୍ରୋଲ ବିକ୍ରି କରିଥାନ୍ତି । ସରକାରୀ କଟକଣା ଫଳରେ ଏବେ ଉଭୟ ଗ୍ରାହକ ଓ ଖୁଚୁରା ବିକ୍ରେତାଙ୍କୁ ସମସ୍ୟା ହେବ ବୋଲି କହିଛନ୍ତି । ସେହିପରି ଗାଡ଼ି ବ୍ୟତୀତ କୃଷି ଉପକରଣ କିମ୍ବା ଜେନେରେଟରରେ ପେଟ୍ରୋଲ ଭର୍ତ୍ତି କରିବାରେ ସମସ୍ୟା ଭୋଗିପାରନ୍ତି ସାଧାରଣ ଲୋକ । 

ସୂଚନାଯୋଗ୍ୟ ଯେ, ରାସ୍ତାକଡ଼ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରି କରିଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଏହାକୁ ତଦାରଖ କରିବେ । ତେଣୁ ଗାଁ ଗହଳିରେ ଛୋଟ ଦୋକାନୀଙ୍କ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କା ମଧ୍ୟ ଦେଖାଦେଇଛି ।