କନକ ବ୍ୟୁରୋ: ଘର କିଣିବାକୁ ଯୋଜନା କରୁଛନ୍ତି କି ? ତାହାଲେ ଆପଣଙ୍କ ପାଇଁ ଶୁଭ ଖବର ନାହିଁ । କାରଣ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ବ୍ୟାଙ୍କ ନିଜର ଗୃହ ଋଣ ବା Home Loan । ଉପରେ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ବ୍ୟାଙ୍କ ସୁଧ ହାରର ଉପର ସୀମାରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ପୂର୍ବରୁ SBIର ହୋମ୍ଲୋନ୍ ସୁଧ ହାର ୭.୫୦% ରୁ ୮.୪୫% ମଧ୍ୟରେ ଥିଲା, କିନ୍ତୁ ଏବେ ଏହା ବୃଦ୍ଧି ପାଇ ୭.୫୦% ରୁ ୮.୭୦%ରେ ପହଞ୍ଚିଛି । ଅର୍ଥାତ୍, ନିମ୍ନ ସୀମାକୁ ସମାନ ରଖାଯାଇଥିବାବେଳେ ଅପର ଲିମିଟ୍ ବଢ଼ାଇ ଦିଆଯାଇଛି । ଏହି ନୂତନ ପରିବର୍ତ୍ତନ ପରେ ନୂଆ ଘର କିଣୁଥିବା ଲୋକେ ହୋମ୍ଲୋନ୍ ଉପରେ ୭.୫୦% ରୁ ୮.୭୦% ପର୍ଯ୍ୟନ୍ତ ସୁଧ ଦେବେ ।
ଜୁଲାଇ ଶେଷ ବେଳକୁ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ହୋମ୍ଲୋନ୍ ସୁଧ ହାରକୁ ୭.୩୫% ରୁ ୭.୪୫%କୁ ବୃଦ୍ଧି କରିଥିଲା । ସେହିପରି, ଘରୋଇ ବ୍ୟାଙ୍କଗୁଡିକ ମଧ୍ୟରେ ଆଇସିଆଇସିଆଇ (ICICI) ୮%, ଏଚଡିଏଫସି (HDFC) ୭.୯୦% ଏବଂ ଆକ୍ସିସ ବ୍ୟାଙ୍କ (Axis Bank) ୮.୩୫% ସର୍ବନିମ୍ନ ସୁଧ ହାରରେ ଗୃହ ଋଣ ପ୍ରଦାନ କରୁଛନ୍ତି ।
ଆରବିଆଇ (RBI) ଲଗାତାର ରେପୋ ରେଟ୍ ହ୍ରାସ କରି ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରୁଥିବା ବେଳେ ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡ଼ିକ ଆର୍ବିଆଇର ଯୋଜନାରେ କାମ କରିବା ମୁଡ୍ରେ ନଥିବା ମନେ ହେଉଛି । SBIର ସୁଧ ବଢ଼ିବା ପରେ ବିଶେଷ ଭାବରେ ସେହି ଗ୍ରାହକମାନେ ପ୍ରଭାବିତ ହେବେ ଯେଉଁମାନଙ୍କର କ୍ରେଡିଟ୍ ସ୍କୋର୍ କମ୍ । କାରଣ ସୁଧ ହାରର ଅପର ଲିମିଟ୍ ବୃଦ୍ଧି କରାଯାଇଛି ।
ଏକ ରିପୋର୍ଟ ଅନୁଯାୟୀ, ନୂଆ ସୁଧହାର କେବଳ ନୂଆ ଗୃହ ଋଣ ଗ୍ରାହକଙ୍କ ଉପରେ ଲାଗୁ ହେବ । ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ SBI ପରେ ଅନ୍ୟ ସରକାରୀ ବ୍ୟାଙ୍କଗୁଡିକ ମଧ୍ୟ ଖୁବଶୀଘ୍ର ଏଭଳି ପଦକ୍ଷେପ ନେଇପାରନ୍ତି । ଭାରତର ଜିଡିପିକୁ ଗତି ଦେବା ପାଇଁ ଆରବିଆଇ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଲଗାତାର ତିନିଥର ରେପୋ ରେଟ୍ ହ୍ରାସ କରିଥିଲା । ରେପୋ ରେଟ୍ କମିବା ଦ୍ୱାରା ପରୋକ୍ଷରେ ଲୋକଙ୍କୁ ଲାଭ ମିଳିଥାଏ, କାରଣ ଏହାପରେ ବ୍ୟାଙ୍କଗୁଡ଼ିକ ଗୃହ ଋଣ ସମେତ ଅନ୍ୟ ସମସ୍ତ ପ୍ରକାର ଋଣ ଉପରେ ସୁଧ ହାର କମ୍ କରିଥାଆନ୍ତି । ବର୍ତ୍ତମାନ ଏସ୍ବିଆଇ ବର୍ଦ୍ଧିତ ସୁଧହାର ଲୋକମାନଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହା ସମୟ କହିବ ।