କନକ ବ୍ୟୁରୋ: ମହାକାଶରେ ଘଟିବାକୁ ଯାଉଛି ଏକ ଦୁର୍ଲଭ ଘଟଣା । ଏହି ମହାଜାଗତିକ ଦୃଶ୍ୟର ସାକ୍ଷୀ ପାଲଟିବେ ସମଗ୍ର ବିଶ୍ୱବାସୀ । କାରଣ ପୃଥିବୀର ଅକ୍ଷ ରେଖାରେ ଅବସ୍ଥାନ କରିବାକୁ ଯାଉଛନ୍ତି ୭ ଗ୍ରହ । ମହାକାଶରେ ଅଧିକାଂଶ ସମୟରେ ଏଭଳି ଅଦ୍ଭୁଦ ଦୃଶ୍ୟ ଦେଖିବାକୁ ମିଳିଥାଏ । ହେଲେ ବର୍ତ୍ତମାନ ଯେଉଁ ଘଟଣା ଘଟିବାକୁ ଯାଉଛି ତାହାକୁ ବୈଜ୍ଞାନିକମାନେ ଦୁର୍ଲଭ ଗ୍ରହ ସଂଯୋଗର ଆଖ୍ୟା ଦେଉଛନ୍ତି । କାରଣ ଏହା କୌଣସି ସାମାନ୍ୟ ଘଟଣା ନୁହେଁ । 

Advertisment

ଧରାପୃଷ୍ଟରୁ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତ୍ତି, ଶନି, ୟୁରେନ୍ସ, ନେପ୍‌ଚ୍ୟୁନ ଗ୍ରହକୁ ଦେଖି ପାରିବେ ସାଧାରଣ ଲୋକେ । ପୃଥିବୀ ସହ ଯେତେବେଳେ ଅନ୍ୟ ଗ୍ରହମାନେ ଗୋଟିଏ ରେଖାରେ ଅବସ୍ଥାନ କରନ୍ତି, ବା ସୂର୍ୟ୍ୟର ଗୋଟିଏ ପାର୍ଶ୍ୱକୁ ଆସି ଯାଆନ୍ତି, ସେତେବେଳେ ଗ୍ରହଗୁଡ଼ିକୁ ଗୋଟିଏ ରେଖାରେ ଦେଖା ଯାଇପାରେ । ଏହାକୁ ଗ୍ରହ ସଂଯୋଗ ବା ପ୍ଲାନେଟୋରୀ ପରେଡ ବି କୁହାଯାଏ । ଜାନୁଆରୀ ୨୧ ତାରିଖରୁ ଏହି ମହାଜାଗତିକ ଦୃଶ୍ୟ ଦେଖି ପାରିବେ ସାଧାରଣ ଲୋକେ । ଏହାପରେ ଫେବ୍ରୁଆରୀ ମାସ ୨୮ ତାରିଖ ଓ ମାର୍ଚ୍ଚ ୮ ତାରିଖରେ  ପୁଣି ଗ୍ରହଗୁଡ଼ିକର ସଂଯୋଗ ଘଟିବ । ରାତି ୮.୩୦ ପରେ ଏହାକୁ ସ୍ପଷ୍ଟ ଭାବରେ ଦେଖାଯାଇପାରେ । କିନ୍ତୁ ମଧ୍ୟ ରାତ୍ର ପରେ ଏହାକୁ ଦେଖିବା ସମ୍ଭବ ହେବନି । 

ଆମେରିକା ମହାକାଶ ଗବେଶଣା ସଂସ୍ଥା ମୁତାବକ ଗ୍ରହଗୁଡ଼ିକ ଅବସ୍ଥାନ କରୁଥିବା ରେଖାକୁ କ୍ରାନ୍ତିବୃତ୍ତ ମଧ୍ୟ କୁହାଯାଏ । ଏହି କ୍ରାନ୍ତିବୃତ୍ତ ପ୍ରକ୍ରିୟା ଯୋଗୁଁ ହିଁ ଆମେ ବେଳେ କେତେକ ଗ୍ରହଗୁଡ଼ିକୁ ଦେଖିବାକୁ ପାଇଥାଉ । ଗ୍ରହଗୁଡ଼ିକ ସୂର୍ୟ୍ୟର ପରିକ୍ରମଣ କରିବା ସମୟରେ ଏଭଳି ସଂଯୋଗ ଘଟିଥାଏ । ଏହାକୁ ଅତି ଦୁର୍ଲଭ ଆଖ୍ୟା ଦିଆଯାଇଛି । ବୈଜ୍ଞାନିକଙ୍କ ମତରେ ଏହି ଦୃଶ୍ୟ ଦେଖିବାକୁ ସାଧାରଣ ଲୋକେ ଆଲୋକଠାରୁ ବହୁ ଦୂରରେ କିମ୍ବା କୌଣସି ଖୋଲା ସ୍ଥାନରେ ରହି ପାରିବେ । ସେହି ସମୟରେ ଆକାଶ ମଧ୍ୟ ସମ୍ପୂର୍ଣ୍ଣ ପରିଷ୍କାର ଓ ପରିଚ୍ଛନ୍ନ ରହିବା ଦରକାର । ଅର୍ଥାତ ଆକାଶ ମେଘାଛନ୍ନ ରହିଲେ ଏହା ଦେଖିବା ସମ୍ଭବ ହେବନି । 

ଏହି ଦୃଶ୍ୟ ସାଧାରଣ ଲୋକଙ୍କ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ ସାବ୍ୟସ୍ତ ହୋଇପାରେ । ଆକାଶରେ ପ୍ଲାନେଟୋରୀ ପରେଡ ଦେଖିବାକୁ କୌଣସି ଟେଲିସ୍କୋପ୍‌ କିମ୍ବା ଅନ୍ୟ କୌଣସି ଉପକରଣ ବ୍ୟବହାର ବି କରି ପାରିବେ ।