କନକ ବ୍ୟୁରୋ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି ଯେଉଁଥିରେ ୧୨ ଜଣ କ୍ରୁ ମେମ୍ବର୍ସଙ୍କ ସହ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ପ୍ରାଥମିକ ରିପୋର୍ଟ ମୁତାବକ, ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରୁ ଉଠୁଥିବା ଧୂଆଁ ଦେଖି ଅନୁମାନ କରିହେଉଛି ଦୁର୍ଘଟଣାର ଭୟାବହତା । 

Advertisment

ପ୍ରାଥମିକ ସୂଚନା ମୁତାବକ,  ଏୟାର ଇଣ୍ଡିଆ  AI-171 ବିମାନ ପ୍ରଥମେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଅହମ୍ମଦାବାଦରେ ପହଞ୍ଚିଥିଲା । ଏଠାରେ କିଛି ସମୟ ରହି ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିଲା । ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ଖସିପଡ଼ିଥିବା କୁହାଯାଉଛି । ଏହା ୧୧ ବର୍ଷର ବିମାନ ବୋଲି ଜଣାପଡିଛି । ତେବେ ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଯାତ୍ରା କରୁଥିବା ଜଣାପଡ଼ିଛି ।  ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିଛି । ଗ୍ରିନ୍ କରିଡର କରାଯାଇ ସେଠାରୁ ଆହତ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଉଥିବା ଜଣାପଡ଼ିଛି ।