କନକ ବ୍ୟୁରୋ : ଚେନ୍ନାଇ ବିମାନବନ୍ଦରରେ ଏକ ବଡ ଅଘଟଣ ଟଳି ଯାଇଛି । ଦୁବାଇ ଯାଉଥିବା ଏକ ବିମାନ ଉଡାଣ ଭରିବା ପୂର୍ବରୁ ଇଞ୍ଜିନ୍ରୁ ଧୂଆଁ ବାହାରିବାକୁ ଲାଗିଥିଲା । ଚେନ୍ନାଇ-ଦୁବାଇ ଏମିରେଟସ ବିମାନ ଉଡାଣ ଭରିବା ପୂର୍ବରୁ ବିମାନର ଶେଷ ଅଂଶରୁ ଧୂଆଁ ବାହାରିବାକୁ ଆରମ୍ଭ କରିଥିଲା । ଧୂଆଁ ବାହାରିବା ଦେଖି ଘଟଣାସ୍ଥଳରେ ଲୋକେ ଭୟଭୀତ ହେବା ସହ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ସମୟରେ ବିମାନ ଭିତରେ କୌଣସି ଯାତ୍ରୀ ନଥିଲେ ।
ଉଡାଣ ଭରିବା ଠିକ୍ ପୂର୍ବରୁ ହିଁ ଏହି ଘଟଣା ଘଟିଥିଲା । ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏମିରେଟ୍ସ ବିମାନ ମଙ୍ଗଳବାର ରାତି ୯.୫୦ ରେ ଦୁବାଇ ଅଭିମୁଖେ ଯାତ୍ରା କରିବାର ଥିଲା। ଏହାର କିଛି ସମୟ ପୂର୍ବରୁ ଇଞ୍ଜିନରୁ ଧୂଆଁ ବାହାରିବା ଆରମ୍ଭ କରିଥିଲା । ଏହି ବିମାନରେ ୩୦୦ ରୁ ଅଧିକ ଯାତ୍ରୀ ଯାତ୍ରା କରିବାକୁ ଯାଉଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ଏହି ଦୁର୍ଘଟଣା ଯୋଗୁଁ ବିମାନଟି ଉଡାଣ ଭରିବାକୁ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା ।