କନକ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ଖୁବୀଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ । ତଦନ୍ତବେଳେ ପୁଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁଲିସ ଡିଜି ୱାଇବି ଖୁରାନିଆ । ସେପଟେ ହତ୍ୟାକାଣ୍ଡର ୧୧ ଦିନ ପରେ ବି ଅଭିଯୁକ୍ତ ଧରା ପଡିନାହାଁନ୍ତି । ଏପଟେ ପୋଲିସ ହାତରେ ସାର୍ପସୁଟର ଧରାପଡିଥିବା ସୂଚନା ମିଳିଛି । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ବ୍ରହ୍ମପୁର ପୁଲିସ । ଅନ୍ୟ ଜଣେ ମଦ ବ୍ୟବସାୟୀଙ୍କୁ ମଧ୍ୟ ଅଟକ ରଖି ଘନ ଘନ ଜେରା କରାଯାଉଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ପଛରେ ବିହାର ଲିଙ୍କ୍ ଥିବା ପୂର୍ବରୁ ସନ୍ଦେହ କରିଛି ପୁଲିସ । ବିହାରୀ ବନ୍ଧୁକରେ ପୀତବାସଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏ ଦିଗରେ ଏବେ ପୁଲିସ ତଦନ୍ତ ଚଳାଇଛି ।
ବିହାରରୁ ବନ୍ଧୁକ ଆଣି ପୀତବାସଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ବଢିଛି । ପୀତବାସ ପଣ୍ଡା ହତ୍ୟାକାରୀ ଚିହ୍ନଟ ହୋଇନଥିବାବେଳେ ଶେରଗଡରେ ଏବେ ଆଉ ଏକ ଘଟଣା ପୁଲିସର ମୁଣ୍ଡବ୍ୟଥା ବଢାଇଛି । ବିଜେଡି ନେତାଙ୍କୁ ଗିରଫ ଘଟଣାରେ ତାତିଛନ୍ତି କର୍ମୀ । ଜୁଲାଇ ୨୫ ତାରିଖରେ ଶେରଗଡ଼ ଧନୁନ୍ତର ଗ୍ରାମର ବିଜେପି ନେତା ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ଗୁଳିମାଢ ଘଟଣାରେ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିଛି । ପ୍ରତିବାଦରେ ଶହ ଶହ ବିଜେଡି କର୍ମୀ ଶେରଗଡ଼ ଥାନା ଘେରାଉ ହୋଇଛି । ଗଞ୍ଜାମରେ ଅପରାଧ ଉପରମୁହାଁ ହେବା ପୁଲିସ ପାଇଁ ଏବେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।