କନକ ବ୍ୟୁରୋ : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ଏସ୍ପି । ଘଟଣାସ୍ଥଳର ସମୀକ୍ଷା କରିବା ସହ ହତ୍ୟା ମାମଲାରେ ପୁଲିସ ହାତରେ ଲାଗିଛି ବଡ଼ ସୁରାକ । ହେଲମେଟ୍ ପିନ୍ଧା ଦୁଇ ଦୁର୍ବୃତ୍ତ ଗେଟ୍ ବଜାର ପଟୁ ଆସି ବୈକୁଣ୍ଠ ନଗର ଗଳି ସାମ୍ନାରେ ପୀତବାସଙ୍କୁ ହତ୍ୟା କରିଛନ୍ତି । ପୁଲିସ ୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରିଛି । ତେବେ ହତ୍ୟାକାରୀ ବ୍ୟବହାର କରିଥିବା ବାଇକର ନମ୍ବର ପ୍ଲେଟ୍ ଫେକ୍ ବୋଲି ଜଣାପଡ଼ିଛି। ଅରିଜିନାଲ ମାଲିକଙ୍କ ପାଖେ ସତ ବାଇକ ଥିଲା ବେଳେ ହତ୍ୟାକାରୀ ନମ୍ବର ପ୍ଲେଟ୍ ବଦଳାଇ ଆସିଥିବା ପୁଲିସ ଜାଣିବାକୁ ପାଇଛି । ୬ଟି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଦିଗରୁ ତଦନ୍ତ କରୁଛନ୍ତି । ଖୁବଶୀଘ୍ର ଆସାମୀଙ୍କ ପାଖେ ପୁଲିସ ପହଞ୍ଚିବ ବୋଲି ଏସପି କହିଛନ୍ତି । ତେବେ ସାମ୍ନାକୁ ଆସିଛି ପୀତବାସଙ୍କ ଏକ୍ସରେ ଫଟୋ। ମେରୁଦଣ୍ଡ କଲମରେ ଅଟକିଥିଲା ଗୁଳି । ୯ ଏମ୍ଏମ୍ ଗୁଳି ବାଜିଥିବା ନେଇ ସ୍ପଷ୍ଟ ହୋଇଛି। କନକ ନ୍ୟୁଜ ହାତରେ ଲାଗିଛି ପୀତବାସଙ୍କ ଏକ୍ସରେ ରିପୋର୍ଟ । ଏକ୍ସରେରେ ସ୍ପଷ୍ଟ ଦେଖାଯାଉଛି ପୀତବାସଙ୍କ ମେରୁଦଣ୍ଡରେ ଗୋଟିଏ ଗୁଳି ଫସି ରହିଥିଲା । ଡାହାଣ ଛାତିର ଉପର ଭାଗରେ ଆଉ ଗୋଟିଏ ଗୁଳି ବାଜିଥିଲା ଏବଂ ଏହା କାଢ଼ିବାକୁ ଲାଗିଥିଲା ୩୦ ମିନିଟରୁ ଅଧିକ ସମୟ ।
ସେପଟେ ଆଇନଜୀବୀ ପିତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ଆଜି ସାରା ରାଜ୍ୟରେ ଓକିଲଙ୍କ ପ୍ରତିବାଦ। ଓକିଲ ସଂଘ ଦେଇଛି କଲମ ଛାଡ଼ ଆନ୍ଦୋଳନ । ପରିବାର ଲୋକଙ୍କୁ କ୍ଷତି ପୂରଣ ସହ ୪୮ ଘଣ୍ଟା ମଧ୍ୟରେ ହତ୍ୟାକାରୀଙ୍କୁ ଗିରଫ କରିବା ରହିଛି ଦାବି । ଅନ୍ୟ ପଟେ ପୁଲିସ ବି ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ କରୁଛି ଚଢ଼ାଉ ଓ ଛାନଭିନ ।