କନକ ବ୍ୟୁରୋ: ସିସିଟିଭିରେ କଏଦ ପିପିଲି ଅତିରିକ୍ତ ତହସିଲଦାରଙ୍କ କଳା କାରନାମା । ମହିଳା ଆରଆଇଙ୍କୁ ଅସଦାଚରଣ କରି ଏବେ ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ ପ୍ରବୋଧ ମହାନ୍ତି । ନୂଆ ନିଯୁକ୍ତି ପାଇ ପ୍ରବୋଧ ପିପିଲି ଛାଡ଼ିଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇଛି ବିଜେଡି ।
ପିପିଲିର ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତିଙ୍କ କଳା କାରନାମା ସିସିଟିଭିରେ କଏଦ ହୋଇଛି । ତହସିଲ କାର୍ଯ୍ୟାଳୟରେ ମହିଳା ଆରଆଇଙ୍କୁ ଏକାକୀ ଦେଖି ଅସଦାଚରଣ କରିବାକୁ ପଛାଇନଥିଲେ ପ୍ରବୋଧ । ସୁଯୋଗ ମିଳିବା କ୍ଷଣି ମହିଳା ଆରଆଇଙ୍କ ହାତକୁ ଜୋରଜବରଦସ୍ତି ଭିଡ଼ି ନେଇଥିଲେ । ଏନେଇ ପିପିଲି ଥାନାରେ ମାମଲା ରୁଜୁ ହୋଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ ସରିଛି । କିନ୍ତୁ ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଫଳ ଶୂନ । ଅଭିଯୁକ୍ତ ପ୍ରବୋଧଙ୍କୁ ଗିରଫ କରିବାକୁ ସାହସ ଜୁଟାଇପାରୁନି ପୁଲିସ ।
ଅତିରିକ୍ତ ତହସିଲଦାର ପ୍ରବୋଧଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିବା ବେଳେ ତଦନ୍ତ ବିନା ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ବ୍ରହ୍ମଗିରି ବଦଳି କରାଯାଇଛି । ମୁଖ୍ୟାଳୟରେ ତାଙ୍କୁ ନରଖି ନୂଆ ସ୍ଥାନରେ ନିଯୁକ୍ତି ଦେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରବୋଧଙ୍କ ବିରୋଧରେ କାହିଁକି ଏଯାଏଁ ନିଆଯାଉନି କାର୍ଯ୍ୟାନୁଷ୍ଠାନ ? ପ୍ରବୋଧଙ୍କ ଆଗରେ କିଏ ଢାଲ ସାଜି ଛିଡ଼ା ହୋଇଛି? ପୀଡ଼ିତାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେବାରେ ଏତେ ବିଳମ୍ବ କାହିଁକି ? କାହା ଚାପରେ ପୁଲିସ ଚେପା ? ପୁଲିସର ଏଭଳି ନରମ ଆଭିମୁଖ୍ୟକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ସରକାରୀ ଅଫିସରେ ମହିଳା ଅସଦାଚରଣର ଶିକାର ହେବା ଏବଂ କାର୍ଯ୍ୟାନୁଷ୍ଠାନ ନେବାରେ ପୁଲିସ ବିଳମ୍ୱ କରିବା ଅନେକ ପ୍ରଶ୍ନବାଚୀ ଛିଡ଼ା କରିଛି ।