କନକ ବ୍ୟୁରୋ: ଦୀର୍ଘବର୍ଷ ତଳେ ବେବିନା ଗଣଦୁଷ୍କର୍ମକୁ ନେଇ ଚର୍ଚ୍ଚାକୁ ଆସିଥିଲା ପିପିଲି । ଏହା ଭିତରେ ଅନେକ ନାବାଳିକା ଦୁଷ୍କର୍ମର ଶିକାର ହେଲେଣି । ଥାନାରେ ଅଭିଯୋଗର ଲମ୍ବା ଫର୍ଦ୍ଦ । ଆଜି କିନ୍ତୁ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଛାତି ଥରାଇ ଦେଇଛି । ନାବାଳିକା ସୁରକ୍ଷା ପ୍ରସଙ୍ଗ ହୋଇଥିଲାବେଳେ ପ୍ରଶ୍ନ ଉଠିଛି, ଆଉ କେତେ ବଦନାମ ମୁଣ୍ଡାଇବ ପିପିଲି?

Advertisment
  • ପୁଣି ପିପିଲି, ପୁଣି ଦୁଷ୍କର୍ମ ମାମଲା
  • ବ୍ୟାଣ୍ଡ ଦେବାକୁ କହି ଲୁଟିନେଲା ଇଜ୍ଜତ

ରବର ବ୍ୟାଣ୍ଡ ଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ କଲା ବଙ୍ଗାଳୀ ଫେରିବାଲା । ପିପିଲି ପୌରାଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ଘର ପାଖକୁ ଆସିଥିବା ଫେରିବାଲାର ପାପ ନଜର ପଡ଼ିଥିଲା କୁନି ଛୁଆ ଉପରେ । ତା ପରେ କୁକର୍ମ କରି ଫେରାର ହୋଇଯାଇଥିଲା ଏହି ଯୌନ ରାକ୍ଷସ । ଯନ୍ତ୍ରଣା ହେବାରୁ ଛୁଆଟି କାନ୍ଦିବାରୁ ସାମନାକୁ ଆସିଥିଲା ସବୁ ଘଟଣା । ପିପିଲି ଥାନାରେ ଏନେଇ ଆଜି ମାମଲା ରୁଜୁ ହୋଇଛି । ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ଅଭିଯୁକ୍ତ ମେଦିନୀପୁର ଜିଲ୍ଲା ସାବଳାର ଶେଖ୍‌ ବରେଲିକୁ ପୁଲିସ ଅଟକ ରଖିଛି । ପୁରୀ ଏସ୍‌ପିଙ୍କ ନେତୃତ୍ବରେ ଆରମ୍ଭ ହୋଇଛି ଘଟଣାର ତଦନ୍ତ । ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ଛାନଭିନ୍‌ କରିଛନ୍ତି ପିପିଲି ଆଇଆଇସି  ଓ ଏସ୍‌ଡିପିଓ । 

  • ବେବିନା ପାଇନି ନ୍ୟାୟ, ଆଉ କେତେ?
  • କାହିଁକି ପିପିଲିରେ ଏତେ ଅମାନବିକତା?

୨୦୧୨ରୁ ୨୦୨୫ ହୋଇଗଲା । ତଥାପି ନ୍ୟାୟ ପାଇପାରିଲାନି ଗଣଦୁଷ୍କର୍ମର ଶିକାର ବେବିନା । ଯାହା ପାଇଁ ଦିନେ ଉଠୁଥିଲା, ପଡ଼ୁଥିଲା ପିପିଲି । ଆଜି ବି ଅଦାଲତରେ ତାରିଖ ପେ ତାରିଖ ଛଡ଼ା ବେବିନାର ପାଉଁଶ ଅଧିକ କିଛି ଦେଖି ପାରିନି । କିନ୍ତୁ ଏଇ ୧୩ ବର୍ଷ ଭିତରେ ଅନେକ ନାବାଳିକା ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ଅପେକ୍ଷାରେ । ବାରମ୍ବାର ଏପରି ପାଶବିକ ଅତ୍ୟାଚାରର ଅଭିଯୋଗ ସାମନାକୁ ଆସୁଛି । ହେଲେ ପୁଲିସ କେବଳ ତଦନ୍ତ ରିପୋର୍ଟ ଓ ସାମାଜିକ କର୍ମୀ କେବଳ ଆନ୍ଦୋଳନରେ ସୀମିତ ଥିଲାଭଳି ମନେ ହେଉଛି । 

ରାଜଧାନୀରୁ ପିପିଲି ବେଶୀ ଦୂର ନୁହେଁ । ତଥାପି ଭୁଶୁଡ଼ିପଡ଼ୁଛି ଆଇନଶୃଙ୍ଖଳା । ଖୋଦ୍‌ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିଜ ଜିଲ୍ଲାରେ ପିପିଲି ଯାଉଥିବାରୁ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି ।