କନକବ୍ୟୁରୋ : ମୁନ୍ଦାଏ ଜଳ ପାଇଁ ଘାଣ୍ଟି ହେଉଛନ୍ତି ଗାଁର ଛୋଟରୁ ବଡ ସମସ୍ତେ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବରକନ୍ଦା ଗ୍ରାମ ପଞ୍ଚାୟତର ୬ଟି ଗାଁର ୧୦ହଜାରରୁ ଅଧିକ ଲୋକ । ବରକନ୍ଦା ଗାଁରେ ଟ୍ୟାଙ୍କର ପାଣି ଦିନେ ଆସିଲେ ୪ ଦିନ ବନ୍ଦ । ଫଳରେ ବାଧ୍ୟ ହୋଇ ଜଳ ଭର୍ତ୍ତି ଦୂଷିତ ପୋଖରୀ ପାଣି ବ୍ୟବହାର କରୁଛନ୍ତି । ଯେଉଁଥିରୁ ପାଣି ମୁନ୍ଦାଏ ମିଳୁଛି ସେଠାରେ ଲାଗୁଛି ଲମ୍ବା ଲାଇନ୍ । ଗୋଟିଏ ନଳକୂଅରୁ ପାଣି ପାଇଁ ୭ଟି ଗାଁର ଲୋକ ଲାଇନ ଲଗାଉଛନ୍ତି ।
ସମାନ ଅବସ୍ଥା ଦେଖିବାକୁ ମିଳିଛି ବଡମ୍ବା ବ୍ଲକ ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ କାଦୁଆପଡା ଗାଁରେ । ଗାଁରେ ଥିବା ଗୋଟିଏ ନଳକୂପ ଭରସାରେ ରହୁଛନ୍ତି ଶହେ ପରିବାର । ଯେଉଁଥିରୁ କେତବେଳେ କଳା ତ’ କେତବେଳେ ନାଲି ପାଣି ବାହାରୁଛି। ଏମିତିକି ନଳକୂପରୁ ପୋକ ବାହରୁଥିବା ମଧ୍ୟ ଗାଁ ଲୋକ ଅଭିଯୋଗ କରିଛନ୍ତି ।
ଯାହାକୁ ବ୍ୟବହାର କରି ଲୋକ ଜଣ୍ଡିସ, କିଡୀନ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗାଁ ମୁଣ୍ଡରେ ଗୋଟିଏ କୂଅ ଅଛି, ସେଥିରୁ ବି ମାଟିଆ ପାଣି ବାହାରୁଛି । ଯାହା ମଣିଷ ତ’ ଛାଡ଼ ପଶୁପକ୍ଷୀ ବି ପିଇବା ସମ୍ଭବ ନୁହେଁ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ଗାଁକୁ ପଡିଥିବା ପାଣି ପାଇପରେ ଶୁଦ୍ଧ ପାନୀୟ ଜଳ ଆସୁନି । ତେବେ ପ୍ରଶାସନ ତୁରନ୍ତ ଏହି ସବୁ ଗାଁରେ ପହଞ୍ଚି ପାଣି ସମସ୍ୟାର ସମାଧାନ କଲେ ଲୋକ ଉପକୃତ ହୋଇପାରନ୍ତେ।