କନକ ବ୍ୟୁରୋ: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଗୋଲାପ ଦୁର୍ନୀତିର ଚିତ୍ର ଗତକାଲି ଆସିଥିଲା ସାମ୍ନାକୁ । ତୀର୍ଥଯାତ୍ରୀଙ୍କୁ ୧୯୫ ଟଙ୍କିଆ ଗୋଲାପ ଦେଇ କିଭଳି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରାଯାଇଥିଲା ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ଏବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଲାପ ଦୁର୍ନୀତିର ପେଡିରୁ ଆଉ କିଛି ଦୁର୍ନୀତିର ବାସ୍ନା ପୂରା ବାଲେଶ୍ବରକୁ ମହକାଇଲାଣି । ୧୮% ଜିଏସଟି ଦେଇ ଗୋଲାପ କିଣାଯାଇଥିବା ବିଲରେ ଦର୍ଶାଯାଇଛି । କିନ୍ତୁ ଗୋଲାପ ନାଁରେ ଜିଏସଟି ବିଲ କରି ଯେଉଁଭଳି ଭାବେ ଟଙ୍କା ଲୁଟ୍ ହୋଇଛି ତାହାକୁ ପଦାରେ ପକାଇଛନ୍ତି ଉଭୟ ଜିଏସଟି ଅଧିକାରୀ ଓ ଦୋକାନୀ । କାରଣ ଫୁଲରେ କେଉଁଠି ଜିଏସଟି ଲାଗେନି । ଅନ୍ୟପଟେ ନିଜ ଦୋଷ ଘୋଡାଇବାକୁ ଭୁଲରେ ନଦେଖି ଦସ୍ତଖତ କରିଥିବା କହିଛନ୍ତି ସେତେବେଳେ ଦାୟିତ୍ବରେ ଥିବା ଅଧିକାରୀ ।
ଗୋଲାପ କିଣା ବିଲରେ ଜିଏସଟି ପକାଇ କେବଳ ଟଙ୍କା ଚଳୁ କରାଯାଇନି । ବରଂ ଜାଲି ବିଲ ଜରିଆରେ ଏଜେନ୍ସି ଓ ଦାୟିତ୍ବରେ ଥିବା ବାବୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିଛନ୍ତି । ନଜର ପକାନ୍ତୁ ଏହି ବିଲ୍ ଉପରେ, ତୀର୍ଥଯାତ୍ରୀଙ୍କୁ ସ୍ବାଗତ କରିବାକୁ ଚନ୍ଦନ ଫ୍ଲାୱାର ସପରୁ ଗୋଲାପ କିଣାଯାଇଥିଲା । କିନ୍ତୁ ବିଲରେ ଥିବା ଠିକଣାରେ ଚନ୍ଦନ ଫ୍ଲାୱାର ସପର ଚିହ୍ନବର୍ଣ୍ଣ ନାହିଁ । ଦୀର୍ଘ ବର୍ଷ ଧରି ବେପାର କରିଥିବା ଦୋକାନୀ ଏଭଳି ଦୋକାନ ନଥିବା କହିଛନ୍ତି । ଯାହା ଦର୍ଶାଉଛି, କେଉଁସ୍ତରରେ ହେଉଛି ଦୁର୍ନୀତି ? ତୀର୍ଥଯାତ୍ରୀ ଯୋଜନାରେ ପୁଣ୍ୟ ଅର୍ଜନ କରିବାକୁ ସରକାର ବରିଷ୍ଠ ନାଗରିକଙ୍କୁ ପଠାଉଥିବା ବେଳେ ଦାୟିତ୍ବରେ ଥିବା ଅଧିକାରୀ ଓ ଏଜେନ୍ସି ମିଳିତ ଭାବେ ଦୁର୍ନୀତିର ପାପ ନିଜ ଦେହରେ ବୋଳିଛନ୍ତି । ଖାଲି ଫୁଲ ଓ ମିଛ ବିଲ ନାଁ ଏହି ଯୋଜନାରେ ଅନ୍ୟ କେଉଁ ବାଟରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଛଇ ତାହା ଏବେ ତଦନ୍ତ ସାପେକ୍ଷ ।