କନକ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ । ଜଣେ ମହିଳାଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ବାଲିଶୁଳିଆ ଗାଁ ନିକଟରେ । ସମସ୍ତଙ୍କୁ ପ୍ରଥମେ ନିକଟସ୍ଥ କୋଷ୍ଠା ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ମୃତ ମହିଳା ହେଲେ ୩୪ ବର୍ଷୀୟା କବିତା ରାମ । ପିକ୍ଅପ୍ ଭ୍ୟାନଟି ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳରୁ ୩୦ରୁ ଅଧିକ ଲୋକ ନେଇ ଆସୁଥିଲା । ସେଥିରେ ଅଧିକାଂଶ ମହିଳା ଥିଲେ । ସମସ୍ତେ ଶୁଳିଆପଦା ଅଞ୍ଚଳକୁ ଶାଳପତ୍ର ତୋଳିବା ପାଇଁ ଯିବା ବେଳେ ଘରକୁ ଫେରିବା ସମୟରେ ଘଟିଥିଲା ଦୁର୍ଘଟଣା । ନିଜ ବିଧାନସଭା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଖବର ପାଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଡାକ୍ତରଖାନାରେ ପହଞ୍ଚିଥିଲେ । ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସମସ୍ତଙ୍କୁ ସମବେଦନା ଜଣାଇଥିଲେ ।