କନକ ବ୍ୟୁରୋ: ପ୍ରାରବ୍ଧ ମୋତେ ଦିବ୍ୟାଙ୍ଗ କରିଛି, ମୋର ଶରୀରଟା ବେଢଙ୍ଗ ହୋଇଯାଇଛି, ହେଲେ ଏସବୁ ମୋ ମନକୁ ଶକ୍ତ କରିଛି । ମୋ ଇଚ୍ଛାଶକ୍ତିକୁ ମଜବୁତ କରିଛି । ଏ କଷ୍ଟ ଅଛି ବୋଲି ବୋଧେ ମୁଁ ବଞ୍ଚିବା ଶିଖଛି । ପ୍ରତି ମୁହୂର୍ତ୍ତରେ ଏଭଳି କିଛି ମନର କଥା ସଞ୍ଜୁଙ୍କୁ ଦେଇଛି ବଞ୍ଚିବା ପାଇଁ ସାହାସ ।
ବାଲେଶ୍ୱର ଭୋଗରାଇ ଅଙ୍ଗନବାଡି ଦିଦି ସଞ୍ଜୁଲତା ବେହେରା । ସଳଖି ଚାଲିପାରନ୍ତି ନାହିଁ । ହାତରେ ଭରା ଦେଇ ଘରୁ ଅଙ୍ଗନବାଡି ସେଣ୍ଟର ଯାଏଁ ଆସନ୍ତି । ଆଉ ପିଲାଙ୍କୁ ପାଠ ପଢାନ୍ତି । ଶରୀର ସମସ୍ୟା ଥାଇ ବି ଦିନେ ବି ନିଜ କାମରେ ଖିଲାପ କରିନାହାଁନ୍ତି, ଅଙ୍ଗନବାଡି ବନ୍ଦ କରିନାହାଁନ୍ତି । ଖରା ବର୍ଷା କାହାକୁ ତାଙ୍କ ନିଘା ନାହିଁ । ବର୍ଷା ଆସିବା ପୂର୍ବରେ ସଞ୍ଜୁ ପହଞ୍ଚିଯାଆନ୍ତି ଅଙ୍ଗନାବାଡି କେନ୍ଦ୍ରରେ । ଆଉ ପିଲା ପହଞ୍ଚିଗଲେ ନାଚଗୀତରେ ଚାଲେ ସଞ୍ଜୁଙ୍କ ପାଠପଢା । ସଞ୍ଜୁ ଆଉ କାହା ଉପରେ ନିର୍ଭରଶୀଳ ନୁହଁନ୍ତି । ନିଜ ଶରୀରକୁ ନେଇ ତାଙ୍କ ମନରେ ଟିକେ ହେଲେ ବି ଅବଶୋଷ ନାହିଁ । ବରଂ ନିଜ ଜୀବନକୁ ନେଇ ସେ ବେଶ୍ ଖୁସି ।
ପିଲାବେଳୁ ତାଙ୍କର ଏଭଳି ସମସ୍ୟା ନଥିଲା ହେଲେ ବୟସ ବଢିବା ସହ ଅଣ୍ଟାପାଖରୁ ବଙ୍କା ହୋଇଯିବା ସହ ଗୋଡ ବି ଆଉ ତଳେ ଭଲଭାବେ ଲାଗିଲା ନାହିଁ । ଧିରେ ଧରେ ହାତ ଭରା ଦେଇ ଚାଲିବା ଆରମ୍ଭ କଲେ ସଞ୍ଜୁ । ଭାରି କଷ୍ଟରେ ଝିଅକୁ ବଢାଇଛନ୍ତି ବାପା, ମା’ । ବହୁ ସମସ୍ୟା ଭିତରେ ଗାଁ ସ୍କୁଲରେ ପଢା ଶେଷ ହେବା ପରେ ଯୁକ୍ତ ଦୁଇ ପାସ୍ କଲେ ସଞ୍ଜୁ । ଆଉ ଅଙ୍ଗନବାଡି ପୋଷ୍ଟ ପାଇଁ ଆବଦେନ କରିଥିଲେ । ଭାଗ୍ୟକୁ ତାଙ୍କୁ ନିଯୁକ୍ତି ମିଳିଗଲା । ଏବେ ସେ ନିଜ କାମରେ ପୁରା ମସଗୁଲ । ହଁ ନିଜ ଶରୀରକୁ ନେଇ ସିନା ତାଙ୍କ ମନରେ କଷ୍ଟ ନାହିଁ କିନ୍ତୁ ଏ ଭଙ୍ଗା ଦଦରା ଅଙ୍ଗନବାଡି କେନ୍ଦ୍ରକୁ ନେଇ ତାଙ୍କ ମନରେ ଅନେକ କ୍ଷୋଭ ।
ଟିକେ ଦେଖିଲେ କୁନି କୁନି ପିଲାଙ୍କ ପାଇଁ ହୋଇଥିବା ଇଏ କୁଡିଆ ଖଣ୍ଡକ ଅଙ୍ଗନବାଡି ଭଳି ତ ଦିଶୁନି ବିଲକୁଲ ଗୋଟେ କୁକୁଡା ଭାଡି ଭଳି ଦେଖାଯାଉଛି । ଏଠି ପିଲାଙ୍କ ପାଇଁ ନା ପିଇବା ପାଣି ଟିକେ ପାଇଁ ସୁବିଧା ଅଛି ନା ବ୍ଲାକବୋର୍ଡ ଝୁଲାଇବାକୁ କାନ୍ଥ । ଶୌଚାଳୟ କଥା ବହୁତ ଦୂରରେ । ଏ ସମସ୍ୟା ଦୀର୍ଘ ୧୦ ବର୍ଷର । ବିଡିଓଙ୍କ ପାଖକୁ ଯାଇ ଅନେକ ଥର ଅଙ୍ଗନବାଡିର ଏ ସମସ୍ୟାକୁ ଜଣାଇଲେଣି ସଞ୍ଜୁ । ହେଲେ ଏଯାଏଁ କୌଣସି ଅଧିକାରୀଙ୍କୁ ଏହା ଦେଖାଯାଉନି । ସ୍ଥାନୀୟ ଲୋକଙ୍କୁ ଏ ସମସ୍ୟା ଅତିଷ୍ଠ କରୁଛି ହେଲେ ବିଡିଓଙ୍କୁ କିଛି ଫରକ ପଡୁନି ।
ଆଶା ଗଣମାଧ୍ୟମରେ ଏ ଖବର ପ୍ରସାରଣ ପରେ ପ୍ରଶାସନ ଆଗୁସାର ହେବେ, ସଞ୍ଜୁଲତାଙ୍କୁ ଟ୍ରାଇସାଇକେଲ ଯୋଗାଇବା ସହ ତାଙ୍କ କର୍ମକ୍ଷେତ୍ର ଅଙ୍ଗନାବାଡିକୁ ସ୍ଥାୟୀ ଭାବେ ନିର୍ମାଣ କରିବେ ।