କନକ ବ୍ୟୁରୋ: ଆଇପିଏଲ ୨୦୨୫ ଫାଇନାଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଚାମ୍ପିଅନ କରାଇବା ପାଇଁ ଦଳରେ ସାମିଲ ହୋଇଛନ୍ତି ଫିଲ୍‌ ସଲ୍ଟ । ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ରେ ତାଙ୍କ ଦମ୍‌ଦାର ଇନିଂସ ବଳରେ ଫାଇନାଲରେ ଟିକେଟ୍‌ ପକ୍କା କରିଥିଲା ଆର୍‌ସିବି । ଏହାପରେ ସେ ତାଙ୍କ ପ୍ରଥମ ସନ୍ତାନକୁ ଦେଖିବାକୁ ଇଂଲଣ୍ଡ ଚାଲି ଯାଇଥିଲେ । ସୋମବାର ଅଭ୍ୟାସ ବେଳେ ବି ତାଙ୍କୁ ଆର୍‌ସିବି କ୍ୟାମ୍ପ୍‌ରେ ଦେଖିବାକୁ ମିଳିନଥିଲା । ଆକଳନ କରାଯାଉଥିଲା ଯେ, ଟାଇଟଲ୍‌ ମ୍ୟାଚ୍‌ ଖେଳିବେନି ଆର୍‌ସିବିର ଦୁର୍ଦ୍ଧର୍ଷ ବ୍ୟାଟର ଫିଲ୍‌ ସଲ୍ଟ । କିନ୍ତୁ ସେ ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି । ମଙ୍ଗଳବାର ସୁଦ୍ଧା ସେ ପୁଣି ଆର୍‌ସିବି କ୍ୟାମ୍ପ୍‌ରେ ଯୋଗ ଦେଇଛନ୍ତି । 

Advertisment

ଫାଇନାଲ ମ୍ୟାଚ୍‌ ପାଇଁ ସୋମବାର ଅଭ୍ୟାସ କରିବାକୁ ଷ୍ଟାଡିୟମରେ ପହଞ୍ଚିଥିଲା ଆର୍‌ସିବି ଟିମ୍‌ । କିନ୍ତୁ ଟିମ୍‌ରେ ଫିଲ୍‌ ସଲ୍ଟଙ୍କୁ ଦେଖିବାକୁ ମିଳିନଥିଲା । ସେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ଭାରତ ଫେରି ଆସିଛନ୍ତି । ଆଜିର ଟାଇଟଲ୍ ମ୍ୟାଚ୍‌ରେ RCB ପାଇଁ ଓପେନିଂ କରୁଥିବା ଦେଖିବାକୁ ପାଇବେ ଫ୍ୟାନ୍ସ । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ରେ ସଲ୍ଟ ମାତ୍ର ୨୭ଟି ବଲ୍‌ରେ ୫୬ ରନ୍‌ର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । 


ସଲ୍ଟ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ହେବା ପରେ ଘରକୁ ଫେରିଯାଇଥିଲେ । ଏବେ ସେ ଅହମ୍ମଦାବାଦକୁ ଫେରି ଆସିଛନ୍ତି ଏବଂ RCBକୁ ପ୍ରଥମ ଆଇପିଏଲ ଟ୍ରଫି ଜିତାଇବା ପାଇଁ ସମସ୍ତ ପ୍ରୟାସ କରୁଥିବା ନଜର ଆସିବେ ।  ଚଳିତ ଆଇପିଏଲ୍‌ ସିଜିନ୍‌ରେ ୧୨ଟି ମ୍ୟାଚ୍‌ ଖେଳି ୩୫.୧୮ ହାରରେ ୩୮୭ ରନ୍‌ କରିଛନ୍ତି । ଏଥର ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୭୫.୯୦ ରହିଛି । 

ସମ୍ଭାବ୍ୟ RCB ଦଳ: ବିରାଟ କୋହଲି, ଫିଲ୍ ସଲ୍ଟ, ମୟଙ୍କ୍‌ ଅଗ୍ରୱାଲ୍‌, ରଜତ ପଟିଦାର (ଅଧିନାୟକ), ଲିଆମ୍ ଲିଭିଂଷ୍ଟୋନ୍, ଜିତେଶ ଶର୍ମା (ୱିକେଟ୍ କିପର), ରୋମାରିଓ ସେଫର୍ଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯଶ ଦୟାଲ, ଜୋସ ହେଜଲ୍‌ଉଡ୍