କନକବ୍ୟୁରୋ : ମିଳିଲା ସବୁଜ ସଂକେତ । ବ୍ରହ୍ମପୁରରେ ହେବ ନାଇପର ।  ଫାର୍ମା ହବ୍ ହେବା  ପୂର୍ବରୁ ନାଇପର ପ୍ରତିଷ୍ଠା ଲାଗି ଦାବି ହୋଇ ଆସୁଥିଲା  ବେଳେ ଏବେ ସ୍ବପ୍ନ ପୂରଣ ହେବାକୁ ଯାଉଛି । ବର୍ଷ ବର୍ଷର ଦାବି ପୂରଣ ହେବାକୁ ଯାଉଛି  ।  ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ୍‌ ଏଜୁକେସନ ଆଣ୍ଡ ରିସର୍ଚ୍ଚ ।  ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସବୁଜ ସଂକେତ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବା ଅବସରରେ ଏନେଇ ଆଲୋଚନା ହୋଇଥିଲା ବେଳେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।  ରାଜ୍ୟର ପ୍ରଥମ ଫାର୍ମାସି କଲେଜ ବ୍ରହ୍ମପୁରରେ।

Advertisment

ଯେଉଁଠି ୪୬ ବର୍ଷ ହେଲା ପାଠ ପଢ଼ା ହେଉଛି । ଏବେ ଗୋପାଳପୁର ଟାଟା ଏସ୍‌ଇଜେଡ୍‌ ଭିତରେ ବହୁ ଫାର୍ମା କମ୍ପାନି ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ତେଣୁ ନାଇପର ପ୍ରତିଷ୍ଠା ହେଲେ ଫାର୍ମା ଗବେଷଣା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବନି ଓଡ଼ିଶା । କିଛିଦିନ ତଳେ ନାଇପର ଦାବିରେ ବ୍ରହ୍ମପୁରରେ ବିରାଟ ଆନ୍ଦୋଳନ ହୋଇଥିଲା ବେଳେ ସବୁ ମନ୍ତ୍ରୀ, ବିଧାୟକଙ୍କ ଦସ୍ତଖତ ଥାଇ ଦାବିପତ୍ର ସରକାରଙ୍କୁ ଦିଆଯାଇଥିଲା। ଏବେ ସ୍ବପ୍ନ ପୂରଣ ହେବାକୁ ଯାଉଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ବ୍ରହ୍ମପୁରବାସୀ ।  ଏବେ ଦେଶରେ ମାତ୍ର ୫ଟି ନାଇପର ରହିଛି। ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତା, ଗୌହ୍ବାଟି ଓ ରାୟବରେଲିରେ ଥିବା ନାଇପର ଉପରେ ସାରା ଦେଶର ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି । ବ୍ରହ୍ମପୁରରେ ନାଇପର ପ୍ରତିଷ୍ଠା ହେଲେ ଦେଶ ତଥା ରାଜ୍ୟର ଫାର୍ମା ମାନଚିତ୍ରରେ ନୂଆ ନାଁ ଯୋଡିହେବ ।