କନକ ବ୍ୟୁରୋ: କମୁଛି ଅଶୋଧିତ ପେଟ୍ରୋଲ-ଡିଜେଲ ଦର ହେଲେ ଏହାର ଲାଭ ଗ୍ରାହକ ନୁହେଁ ବରଂ କମ୍ପାନି ପାଉଛନ୍ତି । ତେଲ ଦର ଗତ ୪ ବର୍ଷରେ ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଛି । ୨୦୨୧ରେ ତୈଳ ଦର ୬୩.୪୦ ଡଲାର ପ୍ରତି ବ୍ୟାରେଲ ରହିଥିଲା । ଏହି ଦର ହ୍ରାସ ପରେ ପେଟ୍ରୋଲ-ଡିଜେଲ ରିଫାଇନ କରିବାର ଆୟ ଐତିହାସିକ ସ୍ତରରେ ପହଞ୍ଚିଥିଲା । ରେଟିଙ୍ଗ ଏଜେନ୍ସି ଅନୁସାରେ ବର୍ତ୍ତମାନ ସମୟରେ କମ୍ପାନିମାନେ ପେଟ୍ରୋଲରେ ଲିଟର ପ୍ରତି ୧୨ରୁ ୧୫ ଟଙ୍କା ଓ ଡିଜେଲରେ ଲିଟର ପ୍ରତି ୬.୧୨ ପଇସା ଲାଭ କରୁଛନ୍ତି । ଏହାପରେ ବି ଗତ ଏକ ବର୍ଷ ହେବ ତେଲ କମ୍ପାନିମାନେ ପେଟ୍ରୋଲ-ଡିଜେଲ ଦର କମ କରିନାହାନ୍ତି ।
ନିକଟରେ ସମ୍ଭାବନା ଥିଲା କି, ତେଲ କମ୍ପାନି ଦର ହ୍ରାସ କରିବେ । ହେଲେ ସରକାର ଲିଟର ପ୍ରତି ୨ ଟଙ୍କା ଏକ୍ସସାଇଜ ଡ୍ୟୁଟି ବଢାଇଦେଇଥିଲେ । ଏହି ଆଳରେ କମ୍ପାନି ତେଲ ଦର କମାଇବାରୁ ବଞ୍ଚିଗଲେ । କେବଳ ଏବେ ନୁହେଁ ଏମିତି ବର୍ଷ ବର୍ଷ ଧରି କମ୍ପାନି କ୍ଷତିର ଆଳ ଦେଖାଇ ତେଲ ଦର କମାଇବାରୁ ବଞ୍ଚି ଆସିଛି । ହେଲେ ସତ୍ୟତା ଏହା ଯେ ୫ ବର୍ଷରେ ୭ ବଡ ତୈଳ କମ୍ପାନି ପ୍ରବଳ ଲାଭ କରି ଆସୁଛନ୍ତି । ୨୦୧୯ରେ କେବଳ ଆଇଓସିକୁ ସାମାନ୍ୟ ଘାଟା ହୋଇଥିଲା । କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଓ ଆନାଲିସିସ ସେଲ୍ ଅନୁସାରେ, ପେଟ୍ରୋଲ-ଡିଜେଲରୁ କେନ୍ଦ୍ର ଓ ରାଜ୍ୟ ସରକାର ୫ ବର୍ଷରେ ୩୫ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି ।
ତୈଳରୁ କେନ୍ଦ୍ରକୁ ଏକ୍ସସାଇଜ ଡ୍ୟୁଟି, କମ୍ପାନିକୁ ଲାଭାଶଂ ଓ ଆୟକରରୁ ମୋଟ ୨୧.୪ ଲକ୍ଷ କୋଟିର ଆୟ ହୋଇଛି । ସେହିପରି ରାଜ୍ୟ ସରକାରକୁ ଭ୍ୟାଟ୍ ଓ ଅଂଶୀଦାର ଭାବେ ୧୩.୬ କୋଟି ଟଙ୍କା ମିଳିଛି ।
-୨୦୨୩-୨୪ରେ ୭ ବଡ଼ ତୈଳ କମ୍ପାନିଙ୍କୁ ୨.୨୯ ଲକ୍ଷ କୋଟିର ଲାଭ ହୋଇଛି । ଏହି କମ୍ପାନିଗୁଡିକୁ ଲଗାତାର ୫ ବର୍ଷ ହେବ ଲାଭ ଉଠାଉଛନ୍ତି । କେବଳ ଆଇଓସିକୁ ୨୦୧୯-୨୦ରେ ୯୩୪ କୋଟି ଟଙ୍କାର ଘାଟା ହୋଇଥିଲା ।
-ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଗତ ୫ ବର୍ଷରେ ସବୁଠାରୁ ଅଧିକ ୨.୮୬ ଲକ୍ଷ କୋଟି ଟଙ୍କାର ଲାଭ କମାଇଛନ୍ତି । ଓଏନଜିସି ଲାଭ କମାଇବାରେ ଦ୍ୱିତୀୟ ସ୍ଥାନରେ ରହିଛି ।
-ଏହି ତୈଳ କମ୍ପାନିଗୁଡିକ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ଲାଭ କରିଛନ୍ତି । ହେଲେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିପାରିନାହିଁ ।
ଏକ୍ସପର୍ଟଙ୍କ କହିବାନୁସାରେ, ଗତ ୩ ମାସ ମଧ୍ୟରେ ଅଶୋଧିତ ତୈଳ ଦର ୬୫ରୁ ୭୫ ଡଲାର ମଧ୍ୟରେ ରହିଛି । ଏହି ଆଧାରରେ ତେଲ କମ୍ପାନିଗୁଡିକ ପେଟ୍ରୋଲରେ ୪ ଟଙ୍କା ଓ ଡିଜେଲରେ ୩.୫ ଟଙ୍କା କମ କରିପାରିବା ସ୍ଥିତିରେ ରହିଛନ୍ତି । ଟ୍ରମ୍ପଙ୍କ ଟାରିଫ ନୀତି ପରେ ବିଶ୍ୱରେ ଅଶୋଧିତ ତୈଳ ଦର ୮ରୁ ୧୦ ଡଲାର ପ୍ରତି ବ୍ୟାରେଲ ଯାଏଁ କମିଯାଇଛି । ଏଭଳି ସ୍ଥିତିରେ ଆଗାମୀ ମାସରୁ ତୈଳ କମ୍ପାନି ତୈଳ ଦର ହ୍ରାସ କରି ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇପାରନ୍ତି ।
ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲ ରାଜନୈତିକ ବସ୍ତୁ ପାଲଟିଯାଇଛି । କେବଳ କଥାରେ ତୈଳ ଦର ବଜାର ଉପରେ ଛାଡିଦିଆଯାଇଛି । କିନ୍ତୁ ଗତ ବର୍ଷେ ଦୁଇ ବର୍ଷ ମଧ୍ୟରେ ସରକାର ନିଜ ହିସାବରେ ତୈଳ ଦର ବୃଦ୍ଧି ଓ ହ୍ରାସ କରୁଛନ୍ତି । ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ତୈଳ କମ୍ପାନି ସହ ମୁକାବିଲା କରିବା ପାଇଁ ଗ୍ରାହକଙ୍କୁ ଲାଭ ଦେବା ନିହାତି ଦରକାର । ନଚେତ ତାଙ୍କ ମାର୍କେଟରେ ଅନେକ କ୍ଷତି ଘଟିପାରେ ।