କନକ ବ୍ୟୁରୋ: ମଲାଗୁଣି ନଦୀ ଆଜି ମରିବାକୁ ବସିଲାଣି । କେଇଟା ଟଙ୍କା ଲୋଭରେ କିଛି ଅସାଧୁ ବ୍ୟକ୍ତି ନଦୀରେ ବିଷ ପକାଇ ବିଷାକ୍ତ ମାଛ ଚିଙ୍ଗୁଡ଼ିକୁ ଧରି ବାହାରେ ବିକ୍ରି କରୁଥିବା ଅଭିଯୋଗ ଆସିଛି । ବିଷାକ୍ତ ଜଳ ବ୍ୟବହାର କରି ଲୋକ ଅସୁସ୍ଥ ହେଉଛନ୍ତି । ହେଲେ ପ୍ରଶାସନ ଏହାକୁ ନେଇ ଚୁପ୍ ବସିଥିବା ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି ।
ବିଷାକ୍ତ ହେବାର ଲାଗିଛି ମଲାଗୁଣି ନଦୀ । କିଛି ଅସାଧୁ ବ୍ୟକ୍ତି ନଈରୁ ମାଛ, ଚିଙ୍ଗୁଡ଼ି ଧରିବା ପାଇଁ କୀଟନାଶକ ପ୍ରୟୋଗ କରୁଛନ୍ତି । ମାଛ ଅଚେତ ହୋଇଯିବା ପରେ ତାକୁ ନଈ ଉପରୁ ଛାଣିନେଇ ବିକ୍ରି କରୁଛନ୍ତି ମାଫିଆ । ପ୍ରଭାବରେ ନଦୀର ପାଣି ଦିନକୁ ଦିନ ବିଷ ପାଲଟି ଯାଉଛି । ଯାହାର ପରିଣାମ ଭୋଗୁଛି କଣାସ ବ୍ଲକର ୧୫ ଖଣ୍ଡ ଗାଁ ।
କେମିତି ଛୋଟ ପିଲା ମାଛ ଚିଙ୍ଗୁଡ଼ି ସଂଗ୍ରହ କରୁଛନ୍ତି । ଏହି ବିଷାକ୍ତ ମାଛ ଖାଇ ଲୋକ ଝାଡ଼ାବାନ୍ତି ସହ ଚର୍ମରୋଗର ଶିକାର ହେଉଥିବା ସାଙ୍ଘାତିକ ଅଭିଯୋଗ ହେଉଛି । ଗତ ୧୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରୁ ଆସିଥିଲା ୭୦ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ଖବର । ବ୍ରାହ୍ମଣୀ ନଦୀରେ ମଧ୍ୟ ମାଛ ଧରିବାକୁ କୀଟନାଶକ ପ୍ରୟୋଗ କରାଯାଇଥିଲା । ଆଉ ସେହି ପାଣି ପିଇ ମଇଁଷି ଗୁଡ଼ିକ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଥିଲା।
ଖୋର୍ଦ୍ଧା ଜିଲ୍ଲାର ସିକୋଠାରୁ ବାହାରି ପୁରୀ ଜିଲ୍ଲା କଣାସ ବ୍ଲକ ଗୌଡ଼ପାଟଣାଠାରେ ଦୟା ନଦୀରେ ମିଶିଛି ମାଲଗୁଣି । ଆଉ ଏଇ ନଈ ବିରୋଧରେ ଷଡ଼୍ଯନ୍ତ୍ର ଆଜିର ନୁହେଁ, ଅନେକ ଦିନ ଧରି କୀଟନାଶକ ପକାଯାଉଛି । ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କିଛି ସୁଫଳ ମିଳୁନି! ଏପରି କାଣ୍ଡ କରୁଥିବା ଅସାଧୁ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ।