କନକ ବ୍ୟୁରୋ: ମଣିଷର ଜୀବନରେ ଅନେକ ଝଡ଼ଝଞ୍ଜା ବାଧାବିଘ୍ନ ଆସେ, କିନ୍ତୁ ସବୁ ପ୍ରତିବନ୍ଧକକୁ ଡେଇଁ ଉପରକୁ ଉଠିବାକୁ ସଫଳତା କୁହାଯାଏ। ଏହାକୁ ପ୍ରମାଣିତ କରିଛନ୍ତି ଭାରତୀୟ ମହିଳା କ୍ରିକେଟ୍‌ ଖେଳାଳି ସ୍ମୃତି ମାନ୍ଧାନା। ମହିଳା କ୍ରିକେଟ୍‌ ଲିଗ୍‌ର ଫାଇନାଲରେ ତାଙ୍କର ବିସ୍ଫୋରକ ଇନିଂସ୍‌ ବଳରେ ଆରସିବି ଚାମ୍ପିୟନ ହେବା ପରେ ସବୁରି ମୁହଁରେ ସ୍ମୃତିଙ୍କ ପ୍ରସଂଶା ରହିଛି।

Advertisment

ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦୪ ରନର ଏକ ବଡ଼ ଲକ୍ଷ୍ୟ ରଖିଥିଲା। ଆରସିବି ପକ୍ଷରୁ ସ୍ମୃତି ଓ ଗ୍ରେସ୍‌ ହ୍ୟାରିସ୍‌ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ହ୍ୟାରିସ୍ ମାତ୍ର ୯ ରନ କରି ଆଉଟ୍‌ ହେବାପରେ ଦଳ ଉପରେ ଚାପ ବଢିଯାଇଥିଲା। କିନ୍ତୁ ସ୍ମୃତି ଓ ଜର୍ଜିଆ ଭଲ୍ ଏହି ଚାପରେ ଦବି ନଯାଇ ଖେଳିଥିଲେ ଓ ମାତ୍ର ୯୨ଟି ବଲରୁ ୧୬୫ ରନର ଭାଗୀଦାର କରି ଏକ ଅସମ୍ଭବ ମନେ ହେଉଥିବା ମ୍ୟାଚକୁ ଦିଲ୍ଲୀ ହାତରୁ ଛଡେଇ ଆଣିଥିଲେ। ସ୍ମୃତି ଅସାଧାରଣ ମାନସିକ ଦୃଢତାର ସହ ବ୍ୟାଟିଂ କରି ମାତ୍ର ୪୧ଟି ବଲରେ ୮୭ ରନ କରିଥିଲେ। ଏପରିକି ଗତ ଦୁଇଦିନ ଧରି ସେ ଜ୍ବରରେ ପୀଡ଼ିତ ଥିବା ସତ୍ତ୍ବେ ଏହି ଅସାଧାରଣ ପାଳି ଖେଳିଥିଲେ।

ଆହୁରି ପଢ଼ନ୍ତୁ...ଆରସିବିର ବିଜୟବାନା ଉଡ଼ାଇଚାଲ! ଚାମ୍ପିୟନ ଦଳକୁ ବିରାଟଙ୍କ ଶୁଭେଚ୍ଛା

ମାତ୍ର ଅଢେଇ ମାସ ତଳେ ସ୍ମୃତିଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। କେବଳ ତାଙ୍କ ବିବାହ ଭାଙ୍ଗିଯାଇ ନଥିଲା ତା ସହିତ ତାଙ୍କର ହୃଦୟ ମଧ୍ୟ ଭାଙ୍ଗିଯାଇଥିଲା। ଗତ ୫ ବର୍ଷ ହେଲା ସେ ପଳାଶ ମୁଚ୍ଛଲଙ୍କୁ ସେ ହୃଦୟର ସହ ଭଲ ପାଉଥିଲେ, ନଭେମ୍ବର ୨୩ରେ ତାଙ୍କୁ ବିବାହ କରିବାକୁ ଯାଉଥିଲେ । କିନ୍ତୁ ବିବାହର ଠିକ୍‌ ପୂର୍ବରୁ ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମେ ବିବାହ ଭାଙ୍ଗିଯାଇଥିଲା। ବିବାହ ଭାଙ୍ଗିଯିବା ଯେତିକି ବଡ଼ କଥା ନଥିଲା, ତାଠାରୁ ବଡ଼ କଥା ଥିଲା ତାଙ୍କ ପ୍ରତି ପଳାଶଙ୍କ ବିଶ୍ବାସଘାତକତା। ଏହା ତାଙ୍କର ଭବିଷ୍ୟତର ସୁନେଲି ସ୍ବପ୍ନକୁ ଦିନ କେଇଟାରେ ଓଲଟପାଲଟ କରିଦେଇଥିଲା। 

ପ୍ରାୟ ୧୭ ଦିନ ଧରି ସ୍ମୃତିଙ୍କ ମୁହଁରୁ କଥା ବାହାରି ନଥିଲା। ସେ ଏକ ଅସମ୍ଭବ ନୀରବତା ଅବଲମ୍ବନ କରିଥିଲେ। ୧୭ ଦିନ ପରେ ସେ ମୁହଁ ଖୋଲି ବିବାହ ଭାଙ୍ଗିଯାଇଥିବା ଘୋଷଣା କଲେ। ଇନଷ୍ଟାଗ୍ରାମରେ ସେ ଲେଖିଥିଲେ ଯେ ତାଙ୍କ ଜୀବନକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି। ତାହାକୁ ସେ ଦୂର କରିବାକୁ ଚାହୁଁଛନ୍ତି ଓ କହିବାକୁ ଚାହୁଁଛନ୍ତି ଯେ ବିବାହ ଭାଙ୍ଗିଯାଇଛି। କିନ୍ତୁ ଏତେ ଦୁଃଖ ମଧ୍ୟରେ ସେ ନିଜର ଦୃଢ ସଂକଳ୍ପ ପ୍ରକାଶ କରିବାକୁ ଭୁଲିନଥିଲେ। କହିଥିଲେ ଯେ ଦେଶ ପାଇଁ ଖେଳିବା ଓ ଟ୍ରଫି ହାସଲ କରିବା ଉପରେ ସବୁବେଳେ ତାଙ୍କର ଧ୍ୟାନ ରହିବ। ଏବେ ସେ ନିଜର ସେହି ସଂକଳ୍ପକୁ ପ୍ରମାଣିତ କରିଛନ୍ତି।