କନକ ବ୍ୟୁରୋ: ହିଟ୍ ମ୍ୟାନ୍... ଟିମ ଇଣ୍ଡିଆର କ୍ୟାପଟେନ୍... ରୋହିତ ଶର୍ମା । କିଛି ବି ପରିଚୟର ଆବଶ୍ୟକତା ନାହିଁ । ଭାରତୀୟ କ୍ରିକେଟ ପ୍ରତି ନିଜର ଅବଦାନ ପାଇଁ ଆଜି ପ୍ରତିଟି କ୍ରିକେଟ ଫ୍ୟାନଙ୍କ ହୃଦୟରେ ସେ ରାଜ୍ କରନ୍ତି । ଆଉ ରୋହିତ ଶର୍ମାଙ୍କୁ ସମ୍ମାନ ଦେବାକୁ ଯାଇ ଏବେ ଓ୍ୱାଙ୍ଖଡେରେ ତିଆରି ହେବାକୁ ଯାଉଛି ରୋହିତ ଶର୍ମାଙ୍କ ନାଁରେ ଷ୍ଟାଣ୍ଡ୍ । ଦିନିକିଆ ଓ ଟେଷ୍ଟ ପାଇଁ ଭାରତୀୟ ଟିମ ପାଇଁ ଅଧିନାୟକତ୍ୱ କରୁଥିବା ରୋହିତ ଶର୍ମାଙ୍କ ପାଇଁ ଏହାଠାରୁ ବଡ ସମ୍ମାନ ଆଉ କଣ ବା ହୋଇପାରେ । ତେବେ ଏହି ସମ୍ମାନ ପରେ ଏବେ ବଡ଼ ଖୁଲାସା କରିଛନ୍ତି ରୋହିତ ।
ଆଇପିଏଲରେ ଗତ ମୁମ୍ୱାଇ-ଚେନ୍ନାଇ ମ୍ୟାଚରେ ଚେନ୍ନାଇକୁ ପରାସ୍ତ କରିବା ପରେ ପ୍ରତିକ୍ରିୟା ରଖିଥିଲେ ରୋହିତ ଶର୍ମା । ରୋହିତ ଶର୍ମାଙ୍କୁ ଯେତେବେଳେ ଓ୍ୱାଙ୍ଖଡେରେ ତାଙ୍କ ନାଁରେ ଷ୍ଟାଣ୍ଡ୍ ତିଆରି ହେବାକୁ ନେଇ ପଚରା ଯାଇଥିଲା । ସେ କହିଥିଲେ, ମୁଁ ଯେତେବେଳେ ଛୋଟ ପିଲା ଥିଲି ସେତେବେଳେ ମୋତେ ଏହି ଷ୍ଟାଡିୟମ ଯିବାକୁ ଅନୁମତି ମିଳୁନଥିଲା । ହେଲେ ମୋ ସାରା ଜୀବନ ମୁଁ ଏହିଠାରେ ହିଁ କ୍ରିକେଟ ଖେଳିଛି । ଏବେ ମୋ ନାଁରେ ଏଠାରେ ଷ୍ଟାଣ୍ଡ୍ ତିଆରି ହେବ, ଏହାଠାରୁ ବଡ଼ ଆଉ କଣ ହୋଇପାରେ ।
ମୁମ୍ୱାଇ କ୍ରିକେଟ ସଂଘ ନିକଟରେ ରୋହିତ ଶର୍ମାଙ୍କ ନାଁରେ ଓ୍ୱାଙ୍ଖଡେରେ ଷ୍ଟାଣ୍ଡ୍ କରିବାକୁ ନିଷ୍ପତ୍ତି ନେଇଛି । ଏମସିଏ ରୋହିତଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଅଜିତ ଓ୍ୱାଡେକର ଓ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଓ ଆଇସିସି ଚେୟାରମ୍ୟାନ ଶରଦ ପଓ୍ୱାରଙ୍କ ନାଁରେ ମଧ୍ୟ ଷ୍ଟାଣ୍ଡ କରିବାକୁ ଘୋଷଣା କରିଛି । ତେବେ ଏହାପୂର୍ବରୁ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଅନେକ ବଡବଡ କ୍ରିକେଟରଙ୍କ ନାଁରେ ଷ୍ଟାଣ୍ଡ ତିଆରି ହୋଇଛି । ସେମାନେ ହେଲେ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ବିଜୟ ମର୍ଚାଣ୍ଟ ।
ବର୍ତ୍ତମାନ ରୋହିତ ଶର୍ମା ଭାରତୀୟ କ୍ରିକେଟର ଗୋଟେ ବଡ଼ ନାଁ । ଅଧିନାୟକ ହିସାବରେ ତାଙ୍କ ନାଁରେ ବଡ ରେକର୍ଡ ବି ରହିଛି । ୧୦ ମାସ ଭିତରେ ସେ ଭାରତକୁ ୨ଟି ଆଇସିସି ଟ୍ରଫି ଦେଇଥିବା ପ୍ରଥମ ଭାରତୀୟ ଅଧିନାୟକ । ରୋହିତ ଶର୍ମାଙ୍କ ନାଁରେ ବଡ ବଡ ରେକର୍ଡ ସାମିଲ ଅଛି, ତା ମଧ୍ୟରୁ ଦିନିକିଆରେ ୨୬୪ ରନର ଦମଦାର ପାଳି ବି ରହିଛି । ସେ ଭାରତ ପାଇଁ ଏବେ ଯାଏଁ ୬୭ ଟେଷ୍ଟ ମ୍ୟାଚ ଖେଳି ୪ ହଜାର ୩୦୧ ରନ କରିଛନ୍ତି, ଯେଉଁଥିରେ ୧୨ ଶତକ ଓ ୧୮ ଅର୍ଦ୍ଧଶତକ ସାମିଲ ଅଛି । ସେହିପରି ୨୭୩ ଦିନିକିଆ ଖେଳି ୧୧ ହଜାର ୧୬୮ ରନ କରିଛନ୍ତି, ୩୨ ଶତକ ଓ ୫୮ ଅର୍ଦ୍ଧଶତକ ସାମିଲ ଅଛି । ଟି-୨୦ରେ ୧୫୯ ମ୍ୟାଚ ଖେଳି ୪ ହଜାର ୨୩୧ ରନ କରିଛନ୍ତି । ଆଉ ୫ ଶତକ ଓ ୩୨ ଅର୍ଦ୍ଧଶତକ କରିଛନ୍ତି ।
ଚଳିତ ବର୍ଷ ଆଇପିଏଲରେ ରୋହିତ ଶର୍ମା ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ । ହେଲେ ଗତ ଚେନ୍ନାଇ ବିପକ୍ଷ ମ୍ୟାଚରେ ସେ ୭୬ ରନର ଦମଦାର ପାଳି ଖେଳିଥିଲେ । ଆଉ ଦଳକୁ ନଟଆଉଟ ରହି ବିଜୟୀ କରାଇଥିଲେ । ଏବେ ଆଗାମୀ ମ୍ୟାଚରେ ତାଙ୍କର ଉପରେ ରହିବ ସମସ୍ତଙ୍କ ନଜର ।