କନକବ୍ୟୁରୋ : କନ୍ଧମାଳକୁ ଚିନ୍ତା ଘାରିଲାଣି ଯକ୍ଷ୍ମା ରୋଗ । ପ୍ରତିବର୍ଷ ଯାଉଛି ଲୋକଙ୍କ ଜୀବନ । ଗତ ୫ ବର୍ଷରେ ଯକ୍ଷ୍ମାଜନିତ ମୃତ୍ୟୁ ସଂଖ୍ୟା ୩୧୭ରେ ପହଞ୍ଚିଛି । ମୃତକଙ୍କ ସଂଖ୍ୟା ବଢ଼ିବା ସହ ସଂକ୍ରମିତଙ୍କ ସଂଖ୍ୟା ସେହି ତୁଳନାରେ ବଢ଼ିଛି । ଜିଲ୍ଲା ଯକ୍ଷ୍ମା ରୋଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ , ଗତ ୨୦୨୦ ମସିହାରେ କନ୍ଧମାଳ ଜିଲ୍ଲାରେ ୬୩ ଜଣ ରୋଗୀ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥିବା ବେଳେ ୨୦୨୧ ମସିହାରେ ୭୦ ଜଣ, ୨୦୨୨ ମସିହାରେ ୬୩ ଜଣ, ୨୦୨୩ ମସିହାରେ ୫୧ ଜଣ ଏବଂ ୨୦୨୪ ମସିହାରେ ୭୦ ଜଣ ରୋଗୀଙ୍କର ଯକ୍ଷ୍ମା ରୋଗରେ ମୃତ୍ୟୁ ହୋଇଛି । ସେହିଭଳି ଜିଲ୍ଲାରେ ମୋଟ ୭୦୦ ରୋଗୀ ଯକ୍ଷ୍ମା ରୋଗ ସଂକ୍ରମିତ ହୋଇଛନ୍ତି ।
ବାଲିଗୁଡ଼ା ବ୍ଲକରେ ୫୮ ଯକ୍ଷ୍ମା ରୋଗୀ ଥିଲାବେଳେ ଚକାପାଦ ବ୍ଲକରେ ୪୬ ଜଣ, ଦାରିଙ୍ଗିବାଡ଼ି ବ୍ଲକରେ ୯୦ ଜଣ, ଜି. ଉଦୟଗିରି ବ୍ଲକରେ ୪୭ ଜଣ, ଖଜୁରୀପଡ଼ା ବ୍ଲକରେ ୨୨ ଜଣ, କୋଟଗଡ଼ ବ୍ଲକରେ ୪୬ ଜଣ ଯକ୍ଷ୍ମା ରୋଗୀ ଥିବା ଜଣାପଡ଼ିଛି । ପ୍ରଶ୍ନ ଉଠୁଛି, କନ୍ଧମାଳ ଜିଲ୍ଲାରେ ବର୍ଷକୁ ବର୍ଷ ଯକ୍ଷ୍ମା ସଂକ୍ରମଣ କାହିଁକି ବୃଦ୍ଧି ଘଟୁଛି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ କାହିଁକି ବଢୁଛି । ଭାରତକୁ ଯକ୍ଷ୍ମା ରୋଗମୁକ୍ତ କରିବାକୁ କେନ୍ଦ୍ର ସରକାର ବୟସ୍କ ବ୍ୟକ୍ତିଙ୍କୁ ବିସିଜି ଟୀକାକରଣର ଶୁଭାରମ୍ଭ କରିଛନ୍ତି ।
୨୦୨୪ ମସିହା ସେପ୍ଟେମ୍ବର ମାସରୁ କନ୍ଧମାଳ ଜିଲ୍ଲାରୁ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାଢୀଙ୍କ କହିବା ଅନୁଯାୟୀ , କନ୍ଧମାଳ ଜିଲ୍ଲାରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ନାନା ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହା ସତ୍ତ୍ବେ କନ୍ଧମାଳ ଜିଲ୍ଲାରେ କାହିଁକି ଯକ୍ଷ୍ମା ରୋଗ ବୃଦ୍ଧି ପାଉଛି ତାହା ଚିନ୍ତାର କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/07/22/kandhamal-2025-07-22-17-47-23.jpg)