କନକ ବ୍ୟୁରୋ: ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ପାଇଁ କଟକଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ କିଛି ଅଜବ ଚିତ୍ର ସାମ୍ନାକୁ ଆସୁଛି । କିଏ ଗାଡିରୁ ଟାଙ୍କି ଖୋଲି ଆଣି ପେଟ୍ରୋଲ ପକାଉଛି ତ ଆଉ କିଏ ପାଣି ପମ୍ପ ଆଣି ତେଲ ଭରୁଛି। କଟକ ଜିଲ୍ଲା ବଡ଼ମ୍ବାର ମାଣିଆବନ୍ଧ ଓ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଏଭଳି କିଛି ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ବଡମ୍ବା ମାଣିଆ ବନ୍ଧ ଅଞ୍ଚଳରେ ତେଲ ଭରିବାକୁ ଗାଡି ରୁ ଟାଙ୍କି ଖୋଲି ଆଣିଲେ ପେଟ୍ରୋଲ ପମ୍ପ। ମାଣିଆବନ୍ଧ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ର ଟାଙ୍କିକୁ ଖୋଲି  ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେଇ ଆସିଛନ୍ତି ।

Advertisment

ସେପଟେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣାରେ ଏଭଳି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପେଟ୍ରୋଲ ଟାଙ୍କିକୁ ଆସିଲା ପାଣି ପମ୍ପ। ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବାରଣ କରାଯାଇଥିବା ବେଳେ ବାଲିପାଟଣାର ବସନ୍ତମାଳ ତେଲ ଟାଙ୍କିର ଏହା ହେଉଛି ଦୃଶ୍ୟ। ଜଣେ ଚାଷୀଙ୍କର ପାଣି ପମ୍ପରୁ ପେଟ୍ରୋଲ ସରିଯିବା ପରେ ଚାଷୀ ଜଣକ ସାଇକେଲରେ ପାଣି ପମ୍ପ ଆଣି ପେଟ୍ରୋଲ ଭରିଛନ୍ତି । ପୂର୍ବରୁ ଚାଷୀ ଜଣକ ବୋତଲ କିମ୍ବା ଜାରକିନ୍ ରେ ପେଟ୍ରୋଲ ନେଇ ପାଣି ପମ୍ପ ଚଲାନ୍ତି । କିନ୍ତୁ ବୋତଲରେ ପେଟ୍ରୋଲ ବାରଣ ପରେ ଚାଷୀ ଜଣକ ବାଧ୍ୟ ହୋଇ ପାଣି ପମ୍ପଟିକୁ ତେଲ ଟାଙ୍କିକୁ ଆଣି ପେଟ୍ରୋଲ ଭରିଛନ୍ତି ।