କନକ ବ୍ୟୁରୋ: ପାଣି ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ । କାମ କରୁନି ଜଳସେଚନ ପ୍ରକଳ୍ପ । ଜମି ପଡ଼ିଆ ରହୁଛି । କାହାର ଦୃଷ୍ଟି ପଡୁନାହିଁ । ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ହେଲେ ସରକାରୀ ବାବୁ ଖାମଖିଆଲି ଉତ୍ତର ଦେଉଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଇଛି ।

Advertisment

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବରଡ଼ାବିଲି ନିକଟ ଋଷିକୁଲ୍ୟା ନଦୀରେ ୨୦୧୭ରେ ପାଖାପାଖି ୩୦ କୋଟି ଟଙ୍କାରେ ନିର୍ମାଣ କରାଗଲା ପର୍ବତଗିରି ଉଠା ଜଳସେଚନ ପ୍ରକଳ୍ପ । ସିଙ୍ଗିପୁର ନିକଟରେ ୩୦ କୋଟି ଟଙ୍କାରେ ଆଉ ଏକ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ତିଆରି ହୋଇଥିଲା । ଲକ୍ଷ୍ୟ ଥିଲା, ଆଖପାଖ ପ୍ରାୟ ୮ଟି ପଞ୍ଚାୟତର ୧୪୩୦ ହେକ୍ଟର ଅଣ- ଜଳସେଚିତ ଜମି ଜଳସେଚିତ ହେବ । କିନ୍ତୁ ନିର୍ମାଣ ପରଠାରୁ ୮ ବର୍ଷ ହେଲା ଏହି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ଚାଷୀଙ୍କ କାମରେ ଆସୁନି। ।

ଗଞ୍ଜାମ ଜିଲ୍ଲାରେ ୪୦୦ କୋଟି ଟଙ୍କାରେ ୧୪ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା। ହେଲେ ସେଥିରୁ ମାତ୍ର ୭ଟି ପ୍ରକଳ୍ପ ସଚଳ । ବାକି ୭ଟି ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଜମିକୁ ପାଣି ମାଡୁନି । ସମ୍ପୃକ୍ତ ସରକାରୀ ବାବୁ କହୁଛନ୍ତି, ନଈରେ ପାଣି କମ୍  ରହୁଥିବରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ତେବେ ଏସବୁ ପ୍ରକଳ୍ପ ପରିଚାଳନା ନେଇ ଜଳସମ୍ପଦ ବିଭାଗ ସହ କଥା ହେବେ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି ।