କନକ ବ୍ୟୁରୋ: ବିଷାକ୍ତ ହେଉଛି ନଦୀର ପାଣି । ପିଇବା ଯୋଗ୍ୟ ହୋଇପାରୁନାହିଁ ପାଣି । ଏଭଳି ଅଭିଯୋଗ ଆସିଲେ ବଡ଼ ବଡ଼ କଳକାରଖାନା ଉପରକୁ ନଜର ଯାଏ । କିନ୍ତୁ ପାଣି ବିଷାକ୍ତ ହେବାରେ ସାଧାରଣ ଲୋକ ବି ସମାନ ଭାଗିଦାର । ଦେବୀ ଦୁର୍ଗାଙ୍କ ଭସାଣ ସମୟରେ ସାଧାରଣ ଲୋକ ବି ନଦୀରେ ପକାଇଛନ୍ତି କୁଢ଼ କୁଢ଼ ପଲିଥିନ ଓ ବସ୍ତା ।
ନଦୀରେ ଭାସୁଛି କୁଢ଼ କୁଢ଼ ଆବର୍ଜନା । ପଲିଥିନ ସାଙ୍ଗକୁ ବଡ଼ ବଡ଼ ଜରି ବସ୍ତା ଓ ପ୍ଲାଷ୍ଟିକ ଡବା ପାଣିରେ ଭାସୁଛି । ଯୁଆଡ଼େ ଆଖି ବୁଲାଇବେ ସେଇଠି କେବଳ ପଲିଥିନ ହିଁ ପଲିଥିନ୍ । ଦେବୀ ଦୁର୍ଗାଙ୍କ ବିଦାୟ ପରେ ରାଜ୍ୟର ବିଭିନ୍ନ ଜଳାଶୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଭୁବନେଶ୍ୱର କୁଆଖାଇ ନଦୀର ଅବସ୍ଥା ବେଶ୍ ଶୋଚନୀୟ । ପୂଜାରେ ବ୍ୟବହୃତ ହୋଇଥିବା ସାମଗ୍ରୀକୁ ବିସର୍ଜନ କରିବା ପାଇଁ କୁଆଖାଇକୁ ବାଛିଛନ୍ତି ସହରବାସୀ । ବସ୍ତା ବସ୍ତା ଅଳିଆ ଫୋପାଡ଼ିବା ସହ ଜରି ବସ୍ତା ବି ପାଣିରେ ପକାଇ ଚାଲିଛନ୍ତି । ସତେ ଯେମିତି ରାଜଧାନୀର ଡମ୍ପିଂ ୟାର୍ଡ ସାଜିଛି କୁଆଖାଇ ନଦୀ ।
ଏଲନ୍ ମେକଆର୍ଥର ଫାଉଣ୍ଡେସନ୍ ଓ ଓ୍ୱାର୍ଲ୍ଡ ଇକୋନୋମିକ୍ ଫୋରମ୍ର ରିପୋର୍ଟ କହୁଛି , ୨୦୫୦ରେ ସମୁଦ୍ରରେ ମାଛ ତୁଳନାରେ ପ୍ଲାଷ୍ଟିକ ଅଧିକ ହେବ । ତଥ୍ୟ କହୁଛି, ପ୍ରତିବର୍ଷ ୮ରୁ ୧୦ ମିଲିଅନ ଟନ୍ ପ୍ଲାଷ୍ଟିକ ସିଧାସଳଖ ସମୁଦ୍ରରେ ପହଞ୍ଚୁଛି । ପଲିଥିନ୍ ଓ ପ୍ଲାଷ୍ଟିକ ବୋତଲ, ଧୀରେ ଧୀରେ ମାଇକ୍ରୋ ପ୍ଲାଷ୍ଟିକ୍ରେ ପରିଣତ ହେଉଛି । ପରବର୍ତ୍ତୀ ସମୟରେ, ସେହି ମାଇକ୍ରୋ ପ୍ଲାଷ୍ଟିକ୍ ମାଛ, ଚିଙ୍ଗୁଡ଼ି ଓ କଇଁଛ ଭଳି ଅନେକ ଜଳଜୀବଙ୍କ ଶରୀରକୁ ଯାଉଛି । ଆଉ ଏହି ମାଇକ୍ରୋ ପ୍ଲାଷ୍ଟିକ ମଣିଷ ଶରୀରରେ ପହଞ୍ଚି କ୍ୟାନ୍ସର ସହ ଅନେକ ମାରାତ୍ମକ ରୋଗ କରିପାରେ ବୋଲି ବିଶେଷଜ୍ଞ କହିଛନ୍ତି ।
ପୁରୁଣା ପରମ୍ପରା ଅନୁଯାୟୀ , ଏବେବି ଅନେକ ପୂଜାର ସାମଗ୍ରୀକୁ ପାଣିରେ ବିସର୍ଜନ କରିଆସିଛନ୍ତି । କିନ୍ତୁ ଏହି ଅଭ୍ୟାସକୁ ନ ବଦଳାଇଲେ ଆଗକୁ ପରିସ୍ଥିତି ଖରାପ ହୋଇଯିବ ବୋଲି ସଜାଗ କଲେଣି ବିଶେଷଜ୍ଞ ।