କନକ ବ୍ୟୁରୋ:  ଭୁଶୁଡ଼ିବା ଅବସ୍ଥାରେ ୩୨୬ ନମ୍ବର ଜାତୀୟ ରାଜପଥ ଏବଂ ରାୟଗଡ଼ା ସହରବାସୀଙ୍କ ରେଳବାଇ ଓଭରବ୍ରିଜ୍ । ମରାମତି ଅଭାବରୁ ବ୍ରିଜ୍ର ଅବସ୍ଥା ଏବେ ଶୋଚନୀୟ । ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଆଉ ଏଭଳି ସ୍ଥିତିରେ ସ୍ଥାୟୀ ମରାମତି କରନଯାଇ ଖାଲି ପ୍ୟାଚ୍ ପକାଇ କାମ ଚଳାଉଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । 

Advertisment

ବିପଦସଙ୍କୁଳ ଅବସ୍ଥାରେ ୩୨୬ ନମ୍ବର ଜାତୀୟ ରାଜପଥ ଓ ରାୟଗଡା ସହରର ରେଳବାଇ ଓଭରବ୍ରିଜ୍ । ମରାମତି ଅଭାବରୁ ବ୍ରିଜ୍‌ର ଅନେକ ସ୍ଥାନରେ ପିଚୁ ଓ କଙ୍କ୍ରିଟ୍‌ ଆସ୍ତରଣ ଉଠିଗଲାଣି। ଲୁହା ଛଡ଼ ଓ ଲୁହା ପିଲର ଉପରକୁ ଉଠି ରହିଛି । ସତେ ଯେମିତି ଲୁହା ପିଲର ଭାରାରେ ବ୍ରିଜ୍‌ଟି ଛିଡ଼ା ହୋଇଛି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଅକାଳରେ ଜୀବନ ଚାଲିଯାଉଥିବା ଅଭିଯୋଗ ହୋଇଛି । ବ୍ରିଜ୍‌ ମରାମତି ପାଇଁ ଦେଢ଼ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା । ହେଲେ ବର୍ଷେରୁ ଅଧିକ ସମୟ ହେଲାଣି ପ୍ରସ୍ତାବ ଜାତୀୟ ରାଜପଥ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଡ଼ିରହିଛି । କଙ୍କ୍ରିଟ୍‌ ଓ ପିଚୁ ଦ୍ବାରା ପ୍ୟାଚ୍‌ ପକାଇ କାମ ଚଳାଉଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

ବ୍ରିଜ୍‌ ଦେଇ ରାଞ୍ଚି- ବିଜୟୱାଡା କରିଡର୍‌ ସହ କୋରାପୁଟ- ବ୍ରହ୍ମପୁର ରୁଟ୍‌ରେ ଶହ ଶହ ଯାନବାହାନ ଚାଲୁଛି । ଏଥିସହିତ ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାରେ ଥିବା ନାଲକୋ, ଇମ୍ଫା ଶିଳ୍ପାନୁଷ୍ଠାନକୁ ଆସୁଥିବା ଶହ ଶହ ମାଲ୍ ବୋଝେଇ ଗାଡ଼ି ମଧ୍ୟ ଏହି ବ୍ରିଜ ଦେଇ ଚଳାଚଳ କରୁଛି । ତେଣୁ ବ୍ରିଜ୍‌ଟିର ସ୍ଥାୟୀ ମରାମତି ପାଇଁ ଦାବି କରାଯାଇଛି । ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ଓଭରବ୍ରିଜ୍‌ ନିର୍ମାଣ ଆରମ୍ଭ ହୋଇଥିଲା । ହେଲେ ମରାମତି ଅଭାବରୁ ବିପଦସଙ୍କୁଳ ପାଲଟିଛି ବ୍ରିଜ୍ । ଖୁବଶୀଘ୍ର ଏହାର ମରାମତି କରାଯିବାକୁ ଦାବି ହୋଇଛି ।