କନକ ବ୍ୟୁରୋ: ସ୍ୱାଭିମାନ ଅଞ୍ଚଳର ଅସ୍ୱାଭାବିକ ଚିତ୍ର । କେମିତି ମାଛକୁଣ୍ଡ ନଈର ଉଭୟ ପାର୍ଶ୍ବରେ ଦୌଡ଼ି ବାନ୍ଧି ଡଙ୍ଗାକୁ ଟାଣି ପାର ହେଉଛନ୍ତି ଲୋକ। ସ୍ବାଭିମାନ ଅଞ୍ଚଳର ପ୍ରବେଶ ଦ୍ବାର ଯନ୍ତ୍ରୀ ଗାଁକୁ ଯିବା ପାଇଁ ଏମିତି ବାଜିରେ ଲାଗୁଛି ଜୀବନ । ଅଙ୍ଗୁରଗୁଡା-ଯନ୍ତ୍ରୀ ଘାଟ ଦେଇ ଜେଟି ଡଙ୍ଗାକୁ ଟାଣି ନଈ ପାର ହେଉଛନ୍ତି ଆଖପାଖ ଗାଁ ଲୋକ । ବିଶୋଇଗୁଡ଼ା ସମେତ ଅଙ୍ଗୁରଗୁଡ଼ା, ତୁସେଇପଡ଼ା, ବଣ୍ଡାପଡ଼ା, ମାରିୱାଡ଼ା, ତାବେରୁ, ଯନ୍ତ୍ରୀ, କୋଣ୍ଡାଜେର, ନାଡ଼ମେଞ୍ଜେର ଆଦି ଗାଁର ଲୋକ ନିୟମିତ ଏମିତି ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି । ପୂର୍ବରୁ ଦେଶୀ ଡଙ୍ଗା ଟଣା ହେଉଥିଲା, ବିଏସ୍‌ଏଫ୍‌ କ୍ୟାମ୍ପ ସ୍ଥାପନ ପରେ ଜେଟିକୁ ଡଙ୍ଗା ଭାବେ ବ୍ୟବହାର କରୁଛନ୍ତି ଲୋକ । 

୨୦୧୮ରେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଅଙ୍ଗୁରଗୁଡା-ଯନ୍ତ୍ରୀ ପରି ଅନେକ ଘାଟରେ ପୋଲ ନିର୍ମାଣ ଲାଗି ସ୍ଥିର ହେଲା । ଗତ ନଭେମ୍ବରରେ ୩୧ କୋଟି ୮୪ ଲକ୍ଷ ବ୍ୟୟ ଅଟକଳରେ ଅଙ୍ଗୁରଗୁଡ଼ା ପୋଲ ଲାଗି ଚୁକ୍ତି ସ୍ୱାକ୍ଷର ହୋଇଥିଲା । ପୂର୍ତ୍ତ ବିଭାଗ ନିର୍ଦ୍ଦେଶ ଅନୁସାରେ ଠିକା କମ୍ପାନି କାମ ଆରମ୍ଭ କରିଥିଲା । ହେଲେ ଏବେ ସେ କାମର ଚିହ୍ନବର୍ଣ୍ଣ ନାହିଁ । ସେହିପରି ଆର୍ଲିଙ୍ଗି-ଦୋରାଘାଟ ପୋଲ ନିର୍ମାଣ ଅବଧି ୫ ବର୍ଷ ତଳୁ ସରିଲାଣି । ଆମ୍ବଳିବେଡା ପରି ଅନେକ ସ୍ଥାନରେ ପୋଲ ନାହିଁ । ତେଣୁ ଜେଟି ସାହାଯ୍ୟରେ ନଈ ପାରି ହେବାକୁ ବାଧ୍ୟ ହୁଅନ୍ତି ସ୍ବାଭିମାନୀ ମଣିଷ । ଘନବେଡା-କୋଡିଗନ୍ଧି, ମାଳିଗୁଡା-ଧୁଳିପୁଟ ଆଦି ସ୍ଥାନରେ ପୋଲ ନିର୍ମାଣ କାମରେ କଚ୍ଛପ ଗତି ଯୋଗୁ ଲୋକ ଏବେ ବି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ।  

Advertisment