କନକ ବ୍ୟୁରୋ: ଗାଁକୁ ନାହିଁ ରାସ୍ତା । ୫ଟି ଗାଁ ପାଇଁ ଭରସା ପାଦଚଲା ରାସ୍ତା। ରାସ୍ତା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ପରି ଅନେକ ସରକାରୀ ଯୋଜନାରୁ ବଞ୍ଚିତ ଗ୍ରାମବାସୀ । ଏଠି ଭାରାରେ ବୁହା ହୁଅନ୍ତି ରୋଗୀ ଓ ଗର୍ଭବତୀ । ସବୁ ଦିନଠାରୁ ଅଧିକ ଯନ୍ତ୍ରଣା ଦିନେ ବର୍ଷା ଦିନ । ଗଞ୍ଜାମ ଜିଲ୍ଲାରେ ରହିଛି ଏମିତି ଗାଁ ।
ବିକାଶ ଠାରୁ ବହୁ ଦୂରରେ ଧରାକୋଟ ବ୍ଲକର ଗୋଛାଗୁଦା, ଗୁଡୁରୁଗୁମା, ପୁଞିଆମ୍ବ ଓ ଝିରିଝିରା ଗାଁ । ଗଞ୍ଜାମ ଓ ଗଜପତି ଜିଲ୍ଲାର ମୋହନାର ସିମାରେ ଅବସ୍ଥିତ ଏହି ସବୁ ଗାଁକୁ ନାହିଁ ଭଲ ରାସ୍ତାଟିଏ। ଏଠି ବିକାଶରେ ରାସ୍ତା ବାଧକ ବୋଲି କୁହନ୍ତି ଗାଁ ଲୋକେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ପ୍ରତିଦିନ ସମସ୍ୟା ସହ ଜୁଝି ହୁଅନ୍ତି । ବର୍ଷାଦିନେ ଜଳବନ୍ଦୀ ଜୀବନ ବିତାଇଥାନ୍ତି । ହାଟ ବଜାର ପାଇଁ ଚାଲିବାକୁ ପଡ଼େ ମାଇଲମାଇଲ ବାଟ । ରୋଗୀ ଓ ଗର୍ଭବତୀ ଡାକ୍ତରଖାନା ଯିବା ପାଇଁ ଦୋଳା ହିଁ ଏକ ମାତ୍ର ଭରସା ।
ଗୋଛାଗୁଡ଼ା ଗଁକୁ ବାଦ ଦେଲେ ଗୁଡୁରୁଗୁମ୍ମା, ପୁଞ୍ଜିଆମ୍ବ ଓ ଝିରିଝିରା ଗାଁରେ ନାହିଁ ବିଦ୍ୟୁତ୍ ବ୍ୟବସ୍ଥା । ଗାଁ ଠାରୁ ୩ କିମି ଦୂରରେ ଥିବା ଝରଣା ପାଣିରେ ମେଣ୍ଟେ ଗ୍ରାମବାସୀଙ୍କ ଶୋଷ । ରାସ୍ତା ନଥିବାରୁ ଆବାସ ଯୋଜନା ବି ଗାଁ ଲୋକଙ୍କଠୁ ବହୁ ଦୂରରେ । ଗାଁଠାରୁ ପଞ୍ଚାୟତର ଦୂରତା ପ୍ରାୟ ୨୦ କି.ମି । ତାହା ପୁଣି ପାହାଡ଼ ପର୍ବତ ଘେରା ଘାଟି ରାସ୍ତା । ତେଣୁ ସରକାରୀ ରାସନ ଆଣିବାକୁ ନାକେଦମ୍ ହେବାକୁପଡ଼େ । ନିଜ ଅଞ୍ଚଳର ସମସ୍ୟାରେ ସୁଧାର ଆଣିବା ପାଇଁ ଅନେକ ଥର ପ୍ରାଶାସନିକ ବାବୁଙ୍କୁ ଜଣାଇଛନ୍ତି ଗ୍ରାମବାସୀ । ହେଲେ ଏଯାଏଁ କାହାରି ଶୁଭ ଦୃଷ୍ଟି ପଡ଼ିନାହିଁ ।