କନକ ବ୍ୟୁରୋ: ସାରା ଓଡ଼ିଶା ପାଇଁ ଗୋଟିଏ ଭରସା କଟକ ବଡ଼ ମେଡିକାଲ । କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ରାଜ୍ୟମାନଙ୍କ ପାଇଁ ମଧ୍ୟ ରାଜ୍ୟର ଏହି ହସ୍ପିଟାଲ ଏବେ ଭରସା ପାଲଟିଛି । ପ୍ରତିଦିନ ହଜାର ହଜାର ରୋଗୀ ଏଠାକୁ ଆସୁଛନ୍ତି । ହେଲେ ଏହି ହସ୍ପିଟାଲରେ ରହିଛି ଅନେକ ସମସ୍ୟା । ଯୁଆଡେ ଦେଖିବ ରୋଗୀ ଅସୁବିଧାରେ ଦହଗଞ୍ଜ । ଏକଥା ଆମେ କହୁନି ଏକଥା ନିଜେ ରୋଗୀ ଓ ତାଙ୍କ ସମ୍ପର୍କୀୟ କହିଛନ୍ତି । ତେବେ ଆମେ ଏନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲୁ । 

Advertisment

କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ସରକାର ସ୍ୱପ୍ନ ଦେଖୁଛନ୍ତି । ଶହ ଶହ ଅଭିଜ୍ଞ ଡାକ୍ତରଙ୍କ ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଆଉ ଆବଶ୍ୟକତାଠାରୁ ଅଧିକ ବେଡର ଯୋଜନା ବି ରହିଛି । ହେଲେ ଏହି କାମ ପୂର୍ବରୁ ବଡ଼ ମେଡିକାଲରେ କିନ୍ତୁ ଦେଖାଯାଉନି ବିଶ୍ୱସ୍ତରୀୟର କୌଣସି ନାଁ ଗନ୍ଧ । ଆଖି ବୁଲେଇଲେ ସମସ୍ୟା ହିଁ ସମସ୍ୟା । ମାଳ ମାଳ ରୋଗୀଙ୍କୁ ମାତ୍ର ଗୋଟିଏ ଦୁଇଟି ଚିକିତ୍ସା ଉପରକଣ ବାଧକ ସାଜିଛି । ଯେଉଁଥିପାଇଁ ଦୂରଦୂରାନ୍ତରୁ ଆସିଥିବା ରୋଗୀ ହଇରାଣ ହେଉଛନ୍ତି । 

ବଡ଼ ମେଡିକାଲରେ ବର୍ତ୍ତମାନ ବଡ଼ ସମସ୍ୟା ସାଜିଛି ରୋଗୀଙ୍କ ଅଲ୍ଟ୍ରାସାଉଣ୍ଡ । ଅଲ୍ଟ୍ରାସାଉଣ୍ଡ ପାଇଁ ସବୁ ବିଭାଗର ରୋଗୀଙ୍କ ପାଇଁ ରଞ୍ଜନ ରଶ୍ମୀ ବିଭାଗ ରହିଛି, ଯେଉଁଠି ଅଲ୍ଟ୍ରାସାଉଣ୍ଡ ହେଉଛି । ଯଦି ଆପଣଙ୍କ ପେଟ ସମସ୍ୟା ଥାଏ, କିମ୍ୱା ସର୍ଜରି ପାଇଁ ଡାକ୍ତର ଅଲ୍ଟ୍ରା ସାଉଣ୍ଡ ପାଇଁ ଲେଖିଥାଆନ୍ତି ତେବେ ଆପଣ ଏହି ଗୋଟିଏ ସ୍ଥାନରେ ହିଁ ଅଲ୍ଟ୍ରାସାଉଣ୍ଡ କରିବେ । ହେଲେ ସମସ୍ୟା ହେଉଛି ଗର୍ଭବତୀ ମହିଳାଙ୍କ ପାଇଁ । ଗର୍ଭବତୀ ମହିଳାଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ନିହାତି ଆବଶ୍ୟକ, ଆଉ ସେମାନେ ବି ଏହିଠାରେ ଅଲ୍ଟ୍ରାସାଉଣ୍ଡ କରିଥାଆନ୍ତି । ଏତେ ରୋଗୀଙ୍କ ଭିତରେ ବେଳେ ବେଳେ ରୋଗୀମାନେ ଅଲଣ୍ଟ୍ରାସାଉଣ୍ଡ ନକରି ଫେରିଯାଆନ୍ତି । କାରଣ ସେମାନଙ୍କୁ ସମୟ ଦେଇଦିଆଯାଏ କି ଆଜି ହୋଇପାରିବନି ଆପଣ କାଲି ଆସନ୍ତୁ । 

ଏଭଳି କ୍ଷେତ୍ରରେ ସମସ୍ୟା ଭୋଗୀ ଥାଆନ୍ତି ଗର୍ଭବତୀ ମହିଳା । ସେମାନେ ଯଦି ସଠିକ ସମୟରେ ଅଲ୍ଟ୍ରାସାଉଣ୍ଡ ନକରି ଫେରିଯାଆନ୍ତି ଆଉ ଡାକ୍ତର ନଦେଖନ୍ତି ତେବେ ସେମାନେ ଅସୁବିଧାରେ ପଡ଼ିବେ । ତେଣୁ ଅନେକ ଲୋକ ବଡ଼ ମେଡିକାଲରୁ ମୁହଁ ଫେରାଇ ପ୍ରାଇଭେଟ୍‌ ମୁହାଁ ହେଉଛନ୍ତି । ଯାହା ପାଖରେ ଟଙ୍କା ଅଛି ସେମାନେ ପ୍ରାଇଭେଟ୍‌ ହସ୍ପିଟାଲ ଗଲେ, ଆଉ ଗରିବ ଲୋକ କରିବେ କଣ ? ଏସସିବିରେ ପଡ଼ି ପଡ଼ି ଶେଷରେ ନିଜ ଜୀବନକୁ ବାଜି ଲଗାଉଛନ୍ତି । ଆଉ ଏସସିବିରେ ଅଲ୍ଟ୍ରାସାଉଣ୍ଡ ପାଇଁ କର୍ମଚାରୀ ଦେଇ ଚାଲିଛନ୍ତି ଖାଲି ତାରିଖ ପରେ ତାରିଖ । ଯାହା ଘର ପାଖ ସେମାନେ ତ କାଲି ଆସି କରିଦେବେ ହେଲେ ଯେଉଁମାନେ ଦୂରରୁ ଆସୁଛନ୍ତି ସେମାନେ କରିବେ ବା କଣ ? ଶେଷରେ ବାଧ୍ୟ ହୋଇ ବଡ଼ ମେଡିକାଲର ବଡ଼ ବାରଣ୍ଡରେ ସେମାନେ ରାତି ବିତାଇଥାଆନ୍ତି । 

ଏତେ ବଡ଼ ହସ୍ପିଟାଲରେ କାମ କରୁଛି ମାତ୍ର ୨ଟି ଅଲ୍ଟ୍ରାସାଉଣ୍ଡ ମେସିନ୍ । ଗୋଟିଏ ମେସିନରେ କାମ କଲେ ଅନ୍ୟ ମେସିନ ବନ୍ଦ ରହୁଛି । ତେବେ ସମସ୍ୟା ରହୁଛି କେଉଁଠି । ଯଦି ସ୍ତ୍ରୀ ପ୍ରସୂତି ବିଭାଗରେ ଅଲ୍ଟ୍ରାସାଉଣ୍ଡର ସୁବିଧା ଥାଆନ୍ତା ତେବେ ଗର୍ଭବତୀ ମହିଳା ଏତେ ସମସ୍ୟା ଭୋଗିନଥାନ୍ତେ । ସେମାନେ ସୁରୁଖୁରରେ ଅଲଣ୍ଟ୍ରାସାଉଣ୍ଡ କରି ଡାକ୍ତର ଦେଖାଇପାରନ୍ତେ । ତେବେ ଏହି ବିଭାଗରେ ଅଲ୍ଟ୍ରାସାଉଣ୍ଡ କରିବାକୁ ଆସି ହଇରାଣ ହେଉଥିବା ରୋଗୀ କହିଛନ୍ତି । 

ତେବେ ଦେଖିବା ବାକି ରହିଲା ବଡ଼ ମେଡିକାଲର ବଡ଼ ସମସ୍ୟା ଉପରେ କେବେ ସରକାରଙ୍କ ନଜର ପଡୁଛି । ଆଉ ବିଶ୍ୱସ୍ତରୀୟ ହସ୍ପିଟାଲ କରିବା ଆଗରୁ ସରକାର କେବେ ରୋଗୀଙ୍କୁ ସଠିକ ସୁବିଧା ଯୋଗାଉ ପାରୁଛନ୍ତି ।