ଭୁବନେଶ୍ବର, କଟକରେ ଶସ୍ତାରେ ମିଳିବ ଘର ; ମନ୍ତ୍ରୀଙ୍କ ଘୋଷଣା

ମଧ୍ୟବିତ୍ତଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜଧାନୀ ଭୁବନେଶ୍ବରରେ ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର ।

Bhubaneswar, cuttack

Bhubaneswar, cuttack Photograph: (KanakNews)

କନକ ବ୍ୟୁରୋ: ରାଜଧାନୀରେ ଘର କିଣିବାକୁ ଚାହୁଥିବା ଲୋକଙ୍କ ପାଇଁ ଖୁସି  ଖବର। ଭୁବନେଶ୍ୱର ସହରରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର ।  ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର । MIG, LIG, LIG -1, MIG -2 ଘର ଦେବେ ସରକାର । ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର କରିବା ସ୍ବପ୍ନ । ଲଟେରୀ ମାଧ୍ୟମରେ ସରକାର ଘର ଯୋଗାଇଦେବେ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 

କେଉଁ ବର୍ଗର ଲୋକ ଏଥିପାଇଁ ଆବେଦନ କରିପାରିବେ ସେଥିପାଇଁ ମାପଦଣ୍ଡ ମଧ୍ୟ ରହିବ । ଧନୀ ଶ୍ରେଣୀରେ ଯାଉଥିବା ଲୋକଙ୍କୁ ପାଇଁ ଏହି ସୁବିଧା ମିଳିବନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଉନ୍ନତ ମାନର ଘର ଯୋଗାଇବା ସହ ପିପିପି ମୋଡରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି । ଘର ତିଆରି କରିବା ପାଇଁ ଟେଣ୍ଡର ଆହ୍ବାନ କରାଯିବ । କୋ-ଅପରେଟିଭ୍ ବ୍ୟାଙ୍କ ସହ ମଧ୍ୟ ଅନୁବନ୍ଧିତ କରିବେ ସରକାର । କୋ-ଅପରେଟିଭ୍ ବ୍ୟାଙ୍କ ଘର ଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ ଇଏମଆଇ ସଂଗ୍ରହ ଦାୟିତ୍ଵ ନେବ । ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଏହି ଘର ଗୁଡ଼ିକ ତିଆରି କରିବେ ସରକାର । 

କଟକରେ ମଧ୍ୟ ଲୋକଙ୍କୁ ଘର ମିଳିବ । ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡ଼ିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର । ସହର ଗୁଡ଼ିକୁ ବିସ୍ତାର କରାଯିବ, ଲୋକଙ୍କୁ ଯୋଗାଯୋଗ ସୁବିଧା ମିଳିବ । ପରେ ରାଜ୍ୟର ଅନ୍ୟ ମ୍ୟୁନିସିପାଲିଟି ଅଞ୍ଚଳ ଗୁଡ଼ିକରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ସରକାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe