କନକ ବ୍ୟୁରୋ: ରାଜ୍ୟର ଅନ୍ୟତମ ଜନସଂଖ୍ୟା ବହୁଳ ବ୍ଳକ ହେଉଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ । ଏହା କୌଣସି ଉପାନ୍ତ କି ପାହାଡିଆ ଅଞ୍ଚଳ ନୁହେଁ । ତଥାପି ଏଠାକାର ଲୋକେ ଏବେ ବି ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ । ଗ୍ରାମ୍ୟ ଜଳ ଯୋଗାଣ ହେଉ କି ବସୁଧା ଯୋଜନା ହେଉ ଅବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେଉ ଏତେ ସବୁ ଥାଇ ମଧ୍ୟ ଅନେକ ଘରେ ପହଂଚି ପାରୁନି ପିଇବା ପାଣି । ପ୍ରଥମ ମେଗା ପାନୀୟ ଜଳ ପ୍ରକଳ୍ପ ଗତ ୨ବର୍ଷ ଧରି ଆରମ୍ଭ ହୋଇଥିଲେ କିଛି ଗାଁରେ ଏବେ ବି ଜଳ ଯୋଗାଣ ପ୍ରହସନରେ ପାଲଟିଛି । ଆଉ ଏବେ ଦ୍ୱିତୀୟ ମେଗା ପାନୀୟ ଜଳ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି । ଯାହା ପାଇଁ ଏଭଳି ଗ୍ରୀଷ୍ମ ସମୟରେ ଲୋକେ ପାଣି ପାଇଁ ଆଉଟୁ ପାଉଟୁ ହେଉଛନ୍ତି । 

Advertisment

ଗାଁ ଗାଁରେ ଲୋକଙ୍କୁ ପିଇବା ପାଣି ଯୋଗାଇବାକୁ କରାଯାଇଛି ପାନୀୟ ଜଳ ପ୍ରକଳ୍ପ । ବିଛା ଯାଇଛି ପାଣି ପାଇପ୍ । ସବୁଠି ଲଗାଯାଇଛି ଟ୍ୟାପ୍ । ହେଲେ ଏବେ ବି ଲୋକଙ୍କ ପାଖରେ ପହଞ୍ଚିପାରୁନି ପିଇବା ପାଣି । କିଛି ଘରକୁ ପାଣି ଯାଉଥିଲେ ବି ଦୁଇ ତିନି ଦିନରେ ବନ୍ଦ ହୋଇଯାଉଛି । ୫ ବର୍ଷ ପରେ ବି ପ୍ରକଳ୍ପରେ ସୁଧାର ଆସୁନି । ଖୋଦ୍ ବାଲେଶ୍ବର ଭୋଗରାଇରେ ପାଣି ଯୋଗୁ ସମସ୍ୟା ଉପୁଜିଛି । ଗାଁରେ ପାଣି ସୁବିଧା କରିବାକୁ ନଳକୂଅ ବି ରହିଛି  । ହେଲେ ସେଥିରୁ ବାହାରୁଛି ଗୋଳିଆ ପାଣି । ଫ୍ଲୋରାଇଡ ମିଶା ପାଣି ପିଇ ଲୋକେ ଅତିଷ୍ଠ ହୋଇପଡୁଛନ୍ତି ।  ପାଣି ପାଇଁ ଲୋକେ ପ୍ରତିବାଦ କରୁଛନ୍ତି । ହେଲେ ସେମାନଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । 

ରାତି ପାହିଲେ ପିଇବାପାଣି ଚିନ୍ତା ବଢୁଛି । ଯେଉଁ କିଛି ସ୍ଥାନରେ ମୁନ୍ଦାଏ ପାଣି ମିଳୁଛି । ସେଠାରେ ରାତି ପାହିଲେ ଲାଗୁଛି ଭିଡ଼ । ଦୁଇ ଦୁଇଟି ପ୍ରକଳ୍ପ ହୋଇଥିଲେ ମଧ୍ୟ ଲୋକେ ଆଜି ଯାଏ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଯେଉଁ କେତୋଟି ଗାଁକୁ ପାଣି ଯୋଗାଇ ଦିଆଯାଉଛି ତାହା ପୁଣି ଅନିୟମିତ ଭାବେ ଦିଆଯାଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଦାବି ହୋଇଛି। ନଳକୂଅ ମରାମତି ସହ ମେଗା ପାନୀୟ ଜଳ ପ୍ରକଳ୍ପରେ ଲୋକଙ୍କୁ ପାଣି ଯୋଗାଯାଇପାରିଲେ ଲୋକେ ଉପକୃତ ହୋଇପାରିବେ ।