କନକ ବ୍ୟୁରୋ: ସରକାରୀ ଯୋଜନା କେବଳ କାଗଜ କଲମ ଓ କାନ୍ଥ ବାଡ଼ ପୋଷ୍ଟରରେ ସୀମିତ। ଯାହାର ଜ୍ୱଳନ୍ତ ଉଦାହରଣ କେନ୍ଦୁଝର ପୌରପାଳିକାରେ ଥିବା ଜୁଡ଼ିଆ ମୁଣ୍ଡା ସାହି ୨ନଂ ୱାର୍ଡ। ସାହି ବାସିନ୍ଦାଙ୍କ ପାଇଁ ସରକାରୀ ଯୋଜନା ସତେ ଯେମିତି ସାତ ସପନ। କିଏ କାହା ବାରଣ୍ଡାରେ ତ ଆଉ କିଏ ପିଲାଛୁଆଙ୍କୁ ଧରି  ଜରି ପାଲ ତଳେ ରହୁଛନ୍ତି । ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ଯୋଗାଇ ଦେବାର ବ୍ୟବସ୍ଥାରୁ ମଧ୍ୟ ବାଦ ପଡ଼ିଛନ୍ତି ଏମାନେ। 
 

Advertisment

ଜୁଡ଼ିଆ ମୁଣ୍ଡା ସାହି ୨ନଂ ୱାର୍ଡରେ ରୁହନ୍ତି ଗରିବ ଖଟିଖିଆ ଆଦିବାସୀ । ମୂଲ ଲାଗି ପରିବାର ପୋଷନ୍ତି। ଓଳିଏ ଖାଇଲେ, ଓଳିଏ ଉପାସ। ପ୍ରାୟ ୬୦ ବର୍ଷ ହେବ ସାହିରେ ରହୁଛନ୍ତି । କିନ୍ତୁ ସରକାରୀ ଯୋଜନାର ଅନ୍ତଭୁକ୍ତ ହୋଇପାରି ନାହାନ୍ତି। ଭୂମିହୀନ ପରିବାର ଚିହ୍ନଟ କରି ଘର ପଟ୍ଟା ଦିଆଯାଇନାହିଁ । ଆବାସ ତ ସାତ ସପନ। କେବଳ ନିର୍ବାଚନ ଆସିଲେ ନେତାଏ ଆସନ୍ତି, ପ୍ରତିଶୃତି ଦିଅନ୍ତି ଆଉ ଭୋଟ ସରିଗଲେ ସବୁ ଭୁଲି ଯାଆନ୍ତି ବୋଲି କହିଛନ୍ତି ଗ୍ରାମବାସୀ।

ଗାଁରେ ଖଣ୍ଡିଏ ପକ୍କା ରାସ୍ତା ଓ ଗୋଟିଏ ନଳକୂଅରେ ସୀମିତ ସରକାରଙ୍କ ମାଳମାଳ ଯୋଜନା। ପ୍ରତି ମୂହୁର୍ତରେ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା ଲୋକମାନେ ବାରମ୍ବାର ପୌରପାଳିକା କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ତଥାପି ପକ୍କା ଘରଟିଏ ମିଳିନାହିଁ। ସରକାରୀ କାର୍ଯ୍ୟାଳୟର ନାଲି ଫିତା ତଳେ ଗରିବ ଖଟିଖିଆଙ୍କ ଦୁଃଖ ଦୁର୍ଦଶାକୁ ଚାପି ରଖିଦିଆଯାଉଥିବା ଅଭିଯୋଗ ହୋଇଛି । ଗଣ୍ଡାଏ ଦାନା ଓ ସୁରକ୍ଷିତ ଆଶ୍ରୟ ଖୋଜୁଥିବା ପରିବାରର ପିଲାମାନଙ୍କ ପାଠପଢା କଥା ନକହିବା ଭଲ । ବିକଶିତ ଓଡ଼ିଶାର ନାରା ଦେଉଥିବା ସରକାର ଜୁଡ଼ିଆ ମୁଣ୍ଡା ସାହି ଆଦିବାସୀଙ୍କ ପ୍ରତି ନଜର ଦେବାର ଆବଶ୍ୟକତା ରହିଛି।