କନକ ବ୍ୟୁରୋ:  ସାରା ଦେଶରେ ଏବେ ପାର୍ବଣର ମାହୋଲ୍‌ । ଶାରଦୀୟ ନବରାତ୍ରିର ଆଜି ଅଷ୍ଟମ ଦିନ । ଆଜି ଅଷ୍ଟମୀ ତିଥିରେ ଦେଶର ବିଭିନ୍ନ ମନ୍ଦିରରେ  ତନ୍ତ୍ର ପୂଜାର୍ଚ୍ଚନା ଚାଲିଛି । ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶ, କୋଲକାତା ଭଳି ବିଭିନ୍ନ ପ୍ରମୁଖ ସ୍ଥାନରେ ନବରାତ୍ରି ପୂଜା ଯଥାରୀତି କରାଯାଉଛି । ଭୋରରୁ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଲମ୍ବା ଧାଡ଼ିରେ ଛିଡ଼ା ହୋଇ ପୂଜାର୍ଚ୍ଚନା କରୁଛନ୍ତି । ମା’ଙ୍କ ଆଳତୀ ଦେଖିବା ପାଇଁ ଭିଡ଼ ଜମିଛି । ମନ୍ତ୍ର ଉଚ୍ଚାରଣରେ ଫାଟି ପଡୁଛି ପରିବେଶ । ଆଜି ଅପରାହ୍ନରେ ମହାନବମୀ ତିଥି ରହୁଥିବାରୁ କନ୍ୟା ପୂଜନ ମଧ୍ୟ କରାଯିବ । ଅଯୋଧ୍ୟାର ଦେବକାଳୀ ମାତା ମନ୍ଦିରରେ ଶ୍ରଦ୍ଧାଳୁମାନେ ନବରାତ୍ରି ପୂଜା କରୁଛନ୍ତି । ସେହିପରି ମୁମ୍ବାଇର ବିଭିନ୍ନ ମନ୍ଦିରରେ ପୂଜାପାଠ କରାଯାଉଛି । ଏପଟେ ମା’ଙ୍କ ଆଗମନରେ ଉତ୍ସବମୁଖର ଓଡ଼ିଶା, ଭକ୍ତିମୟ ପରିବେଶ । ଆଜି ଶକ୍ତିପୀଠ ଗୁଡିକରେ ମହାମାୟାଙ୍କ ମହାନବମୀ ପୂଜା ଚାଲିଥିବା ବେଳେ ପୂଜା ମଣ୍ଡପରେ ଅଷ୍ଟମୀ ପୂଜାବିଧି କରାଯାଉଛି । ମୃଣ୍ମୟୀ ମୂର୍ତ୍ତି ଗୁଡିକ ଯେମିତି ମନଲୋଭା ହୋଇଛି, ତୋରଣ ଓ ସାଜସଜ୍ଜା ସେତିକି ସୁନ୍ଦର ଓ ଆକର୍ଷଣୀୟ ହୋଇଛି । ପରିବାର ସହ ପୂଜା ମଣ୍ଡପଗୁଡିକ ବୁଲୁଛନ୍ତି ଲୋକେ । ପୂଜା ପାଇଁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି ।